ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ୍ ଜୁହା

0

ଭୁବନେଶ୍ୱର: ଆଜି ଇଦ୍ ଉଲ୍ ଜୁହା । ବଳିଦାନ ଓ ସ୍ୱାର୍ଥତ୍ୟାଗର ଅନନ୍ୟ ପର୍ବ ହେଉଛି ‘ଇଦ୍-ଉଲ୍-ଜୁହା’। ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ। ଏହାକୁ ବକରିଦ୍ ମଧ୍ୟ କୁହାଯାଏ। ଅନ୍ତରର ସମସ୍ତ ଲୋଭ ଓ ସ୍ୱାର୍ଥକୁ ବଳି ଦେଇ ଈଶ୍ୱର ଭକ୍ତିରେ ଲୀନ ହୋଇଯିବାର ପର୍ବ ହେଉଛି ‘ଇଦ୍-ଉଲ୍-ଜୁହା’। ଆଲ୍ଲାଙ୍କର ପୈଗମ୍ବର ଇବ୍ରାହିମ୍ଙ୍କ ସମର୍ପଣ ଭାବକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ମୁସଲମାନମାନେ ଏହି ପର୍ବ ପାଳନ କରିଥାଆନ୍ତି। ସକାଳୁ ସକାଳୁ ମସଜିଦ ଯାଇ ସେମାନେ ସମୂହ ନମାଜ ପାଠ କରିଛନ୍ତି। ଏହା ପରେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶ ସାରା ମସଜିଦରେ ଚାଲିଛି ନମାଜ ପାଠ। ଇଦ୍ ପାଇଁ ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇ ଆଜି ଦିନକୁ ସରକାରୀ ଛୁଟି ଘୋଷଣା କରାଯାଇଛି । ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ୟ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ କୋର୍ଟ, ବ୍ୟାଙ୍କ ଆଦି ବନ୍ଦ ରହିବ।

ରମଜାନ ମାସ ଶେଷ ହେବାର ୭୦ ଦିନ ପରେ ଏହି ବକରିଦ୍ ପାଳନ କରାଯାଏ। ଏହି ଦିନ ମୁସଲମାନ ଭାଇ ମାନେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥାନ୍ତି। ଏଥିପାଇଁ ସକାଳୁ ସକାଳୁ ମୁସଲମାନ ଭାଇମାନେ ନୂଆ ଲୁଗା ପିନ୍ଧି ମସ୍ଜିଦ୍ରେ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍ର ଶୁଭେଚ୍ଛା ଜଣାଇଥାନ୍ତି। ଇଦ୍ ପାଇଁ ଘରେ ଘରେ ଜୋରଦାର ପ୍ରସ୍ତୁତି ଚାଲିଛି। ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ଲାଚ୍ଛା, ସର୍ବତ, ବିରିୟାନୀ ଓ ହାଲୱାରେ ମହକୁଛି ପରିବେଶ। ଇଦ୍ ପାଇଁ ରାଜ୍ୟର ବିଭିନ୍ନ ସହରର ମସଜିଜ୍ ଗୁଡିକରେ ସମୁହ ନମାଜ ପାଠ ସହ ବ୍ୟାପକ ଆୟୋଜନ କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।