ବିଲ ହିଡ଼ରେ ଇ -କେ୍ୱାଇସି ଯାଞ୍ଚ : ସ୍ବାଧୀନତାର 78 ବର୍ଷ ପରେ ବି ଅପହଞ୍ଚ ନେଟୱର୍କ

0

ରାଇରଙ୍ଗପୁର (ସତ୍ୟନାରାୟଣ ପାଲ): କେନ୍ଦ୍ର ସରକାର ଡିଜିଟାଲ ଭାରତ ନିର୍ମାଣ ସ୍ବପ୍ନ ଦେଖିଥିବା ବେଳେ ବାମନ ଘାଟି ଉପଖଣ୍ଡ ଵିଜାତଳା ବ୍ଲକ ଅନ୍ତର୍ଗତ ବଣ ପାହାଡ ଘେରା ଚଢେଇପାହାଡି ପଞ୍ଚାୟତ ଭଳି ଆଦିବାସୀ ବହୁଳ ଅଞ୍ଚଳରେ ସ୍ବାଧୀନତାର 78 ବର୍ଷ ପରେ ବି ନେଟୱର୍କ ଅପହଞ୍ଚ। ଏହି କାରଣରୁ ପ୍ରକୃତ ରାସନକାର୍ଡ ହିତାଧିକାରୀ ଚି଼ହ୍ନଟ ପାଇଁ ବିଲ ହିଡ଼ ରେ ଇ -କେ୍ୱାଇସି ଯାଞ୍ଚ କରାଯାଉଛି । ଇ -କେ୍ୱାଇସି ଅପଡେଟ କରିବା ପାଇଁ ହିତାଧିକାରୀ ମାନେ ବହୁତ ହଇରାଣ ହେଉଛନ୍ତି । ଏହି ଚିତ୍ରରୁ ତାହା ସ୍ପଷ୍ଟ ବାରିହେଉଛି । ଚଢେଇପାହାଡିରେ ବିଏସନାଲ୍ ଟାୱାର ଅଛି କିନ୍ତୁ ଡିଜିଟାଲ ସେବା ପାଇଁ ଉପଯୋଗୀ ହୋଇପାରୁନାହିଁ। ଚଢେଇପାହାଡି ପଞ୍ଚାୟତ ର ୨୦ଟି ଗାଁ ର ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ପଞ୍ଚାୟତର ଫୁଲବାଳିଆ,କିତାବେଡା, ବଳରାମ ପୁର,ଜାମପାଣି,କାଶିପାଣି, ଗୋବିନ୍ଦପୁର, କଙ୍କଡାବେଡା,ରଙ୍ଗାମାଟିଆ,ତୁଳସୀବୁଣି,ପଣ୍ଡୁପାଣି,ଖେଜୁରୀଝରଣ,ରେଙ୍ଗାଳବେଡା,ଚଢେଇପାହାଡି,ଭୀମଖନ୍ଧା,ଡମୁରୀକୁଦର,ପାହାଡପୁର,ବୁଡାମରା,ଲିଖନଛତ୍ର,ଟିଆକାଟି ଏବଂ ଢାଙ୍ଗଟାଙ୍ଗର ଗ୍ରାମର ଲୋକମାନେ ଇ -କେ୍ୱାଇସି ଯାଞ୍ଚ ପାଇଁ ବହୁତ ହଇରାଣ ହେଉଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟରେ ନେଟୱର୍କ ଅପହଞ୍ଚ ଥିବାରୁ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ ହେବା ବାଧାପ୍ରାପ୍ତ ହେଉଛି । ଏମିତି କି ସ୍ଥାନୀୟଵାସୀ ଫୋନରେ କଥା ହେବା ପାଇଁ ଟାଣଖରାରେ କିମ୍ବା ଗଛ ଉପରେ ଚଢ଼ି କଥା ବାର୍ତ୍ତା ହୁଅନ୍ତି । ଚଢ଼େଇ ପାହାଡି ପଞ୍ଚାୟତବାସୀ ଯେପରି ମୌଳିକ ସୁବିଧା ପାଇପାରିବେ, ସେଥିପାଇଁ ଏଠାକାର ସମିତି ସଭ୍ୟା କୁନି ସର୍ଦାର ଅଣ୍ଟା ଭିଡିଛନ୍ତି । ଏହି ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ଅନେକ ଥର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଅବଗତ କରିଛନ୍ତି। ବର୍ତ୍ତମାନ ଡିଜିଟାଲ ସେବା ଯୁଗରେ ଅଞ୍ଚଳବାସୀ ମାନେ ଯେପରି ଡିଜିଟାଲ ସେବା ପାଇ ପାରିବେ ସେଥିପାଇଁ କୁନି ସର୍ଦାର ନିର୍ବାଚନ ହେବା ପରେ ପରେ ହିଁ ଉଦ୍ୟମ ଆରମ୍ଭ କରିଥିଲେ। ସେ ଅଞ୍ଚଳବାସୀ ମାନଙ୍କ ସହିତ ବହୁବାର ଜିଲ୍ଲାପାଳଙ୍କୁ ଦାବି କରିଆସୁଥିଲେ। ଚଢ଼େଇ ପାହାଡି ପଞ୍ଚାୟତ ର ରେଙ୍ଗାଳବେଡା ଠାରେ ଭାରତ ସରକାର ନିଗମ ଲିମିଟେଡ (BSNL ) ତରଫରୁ ଟାୱାର ନିର୍ମାଣ ହୋଇଛି କିନ୍ତୁ ପ୍ରାୟ 2ବର୍ଷ ହେଲା ନେଟୱର୍କ ଆସିନାହିଁ । ପଞ୍ଚାୟତବାସୀ ବହୁତ ଅସୁବିଧା ଭଗୁଛନ୍ତି ।