ଆଠଗଡ: ବଡମ୍ବା ନରସିଂହପୁର ଜଙ୍ଗଲରେ ହାତୀମୃତ୍ୟୁ ଓ ହାତୀ କଙ୍କାଳ ମିଳିବା ଘଟଣାରେ ସ୍ପେଶାଲ ଟିମ୍ ତଦନ୍ତ କରିବ । ଏଥିଲାଗି ପିସିସିଏଫ୍ ଶଶୀ ପଲ ଏକ ୩ ଜଣିଆ ହାଇଲେବୁଲ ଟିମ୍ ଗଠନ କରିଛନ୍ତି । କମିଟି ଦାୟିତ୍ୱରେ ସିସିଏଫ୍ ମନୋଜ ନାୟାର ଓ ତଦନ୍ତ କମିଟିର ଅଧ୍ୟକ୍ଷ ଦାୟିତ୍ୱରେ ଆରପିସିଏଫ୍ ରହିବେ । ଜଣେ ଏସିଏଫଙ୍କ ସହିତ କ୍ରାଇମବ୍ରାଞ୍ଚ ଟିମ୍ ସାମିଲ ରହିବ ବୋଲି ଜଣାପଡିଛି । ତଦନ୍ତକାରୀ ଟିମରେ କ୍ରାଇମବ୍ରାଞ୍ଚର ଜଣେ ଡିଏସପି ବା ତର୍ତୁଦ୍ଧ ରାଙ୍କର ଅଧିକାରୀ ରହିବେ । ସମ୍ପୃକ୍ତ ଘଟଣାରେ ତଦନ୍ତ କରୁଥିବା ଡିଏଫଓ ଆଉ ତଦନ୍ତ କରିପାରିବେ ନାହିଁ ବୋଲି ଜଣାପଡିଛି । ସମ୍ପୃକ୍ତ ଘଟଣାରେ ଯାହାର ବି ସମ୍ପୃକ୍ତି ଆସିବ ତାକୁ ଛଡାଯିବ ନାହିଁ ବୋଲି ପିସିସିଏଫ୍ ଶ୍ରୀ ପଲ୍ କହିଛନ୍ତି ।
ସେହିପରି ଗୁରୁବାର ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି । ହାତୀଟି ସପ୍ତାହେ ହେଲା ଅସୁସ୍ଥ ଥିଲା ବୋଲି ଜଣାପଡିଛି । ଶବ ବ୍ୟବଚ୍ଛେଦ ଓ ରକ୍ତ ନମୁନା ରିପୋର୍ଟ ଆସିବା ପରେ ଲିଭର ଜନିତ ସମସ୍ୟା କାରଣରୁ ମୃତ୍ୟୁ ଘଟିଥିବା ଜଣାପଡିଛି । ଅଭୟାରଣ୍ୟର ପମ୍ପାସ ନିକଟ ଜଙ୍ଗଲ ଜକାବୁ ଗାଁରେ ହାତୀଟି ଅସୁସ୍ଥ ଥିବା ବନ ବିଭାଗ ଖବର ପାଇଥିଲା । ତେବେ ବନ ବିଭାଗର ଅଧିକାରୀ ଓ ପ୍ରାଣୀ ଚିକିତ୍ସକମାନେ ହାତୀଟିର ଚିକିତ୍ସା କରିଥିଲେ ସୁଦ୍ଧା ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଦ୍ଧାର ଆସିନଥିଲା । ଶେଷରେ ହାତୀଟିର ମୃତ୍ୟୁ ଘଟିଥିଲା ।