(ଶୁଭସ୍ମିତା ଦାଶ/ ଭୁବନେଶ୍ୱର): ଆଗକୁ ଅଛି ସାଧାରଣ ନିର୍ବାଚନ । ଏନେଇ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରଚାର ପାଇଁ ସଜବାଜ ଆରମ୍ଭ କରିଦେଲେଣି । ଏଥର ରାଜନେତା ମାନେ ନିଜ ଦଳର ପ୍ରଚାର ପାଇଁ ଚଳଚ୍ଚିତ୍ରକୁ ମାଧ୍ୟମ କରିଛନ୍ତି । ଯାହାର ଝଲକ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଦେଖିବାକୁ ମିଳିଛି । ଆଗାମୀ ନିର୍ବାଚନକୁ ନେଇ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଚଳଚଞ୍ଚଳ ହୋଇଉଠିଛି। ପ୍ରଥମଥର ପାଇଁ ଏକାଥରେ ଦୁଇ ଦୁଇଟି ଓଡ଼ିଆ ପଲିଟିକାଲ ଡ୍ରାମା ଫିଲ୍ମ ରିଲିଜ ହେଉଛି। ବୁଧବାର ସ୍ଥାନୀୟ ସିନେପଲିସରେ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ‘ନିମ୍କି – ନିମପୁରରୁ ନବୀନ ନିବାସ’ର ତାରକା ଖଚିତ ଗ୍ରାଣ୍ଡ ପ୍ରିମିୟର୍ ଶୋ’ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅଭିନେତ୍ରୀ ତଥା ନେତ୍ରୀ ଜୟା ବଚ୍ଚନ ଯୋଗଦେଇଥିଲେ। ଏହି ଫିଲ୍ମରେ ନବୀନ ପଟ୍ଟନାୟକଙ୍କ ଶାସନକୁ ସକାରାତ୍ମକ ଦୃଷ୍ଟିକୋଣରୁ ଦର୍ଶାଯାଇଥିବା ବେଳେ ରାଜ୍ୟ ସରକାରଙ୍କର ଅନେକ ରାଜନେତାଙ୍କୁ ମଧ୍ୟ ଦେଖିବାକୁ ମିଳିଛି। କିଛିଦିନ ତଳେ ଫିଲ୍ମ ସମ୍ପର୍କରେ ଜଣାଇବାକୁ ବର୍ଷା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଭେଟିଥିଲେ। ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉପରେ ତିଆରି ଚାଲିଥିବା ଓଡିଆ ଫିଲ୍ମ ‘ବିଜୁବାବୁ’ ମଧ୍ୟ ବିଜେଡିକୁ ଫାଇଦା ଦେବ ବୋଲି କୁହାଯାଉଛି। ବିଜେଡି ଏମ୍ପି ତଥା ଅଭିନେତା ଅନୁଭବଙ୍କ ଅଭିନୀତ ଏହି ଫିଲ୍ମର ପ୍ରଯୋଜନା ପ୍ରଶାନ୍ତ ବେହେରା ଓ ଅକ୍ଷୟ ପରିଜା କରିଥିବା ବେଳେ ଏପ୍ରିଲ ୧ ମଧ୍ୟରେ ଏହା ରିଲିଜ ହେବା ଯୋଜନା ରହିଛି। ଏହାବ୍ୟତୀତ ନିକଟରେ ରିଲିଜ ହୋଇଥିବା ଦୁଇ ମ୍ୟୁଜିକ୍ ଭିଡିଓ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଏବଂ ‘ଖୁସି ତ’ରେ ମଧ୍ୟ ରାଜ୍ୟ ସରକାର ନିଜ ସଫଳତାର ପ୍ରଚାର କରୁଥିବା ଶୁଣିବାକୁ ମିଳୁଛି।