ଖୁବଶୀଘ୍ର ଇଣ୍ଡିଆ ଆସିବେ ଏଲନ ମସ୍କ । ଟେସଲା ସିଇଓ ଏବଂ ଆମେରିକୀୟ ଶିଳ୍ପପତି ଏଲନ ଚଳିତ ବର୍ଷ ଭାରତ ଆସିବାକୁ ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବା ପରେ, ସେ ତାଙ୍କ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ ସେ ଭାରତ ଆସିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବା ଏକ ସମ୍ମାନର କଥା। ମୁଁ ଏହି ବର୍ଷ ଶେଷରେ ଭାରତ ଗସ୍ତ କରିବାକୁ ଅପେକ୍ଷା କରିଛି!”
ମସ୍କ ତାଙ୍କ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ସେୟାର କରାଯାଇଥିବା ପୋଷ୍ଟକୁ ରିଟ୍ବିଟ୍ ଏହା ଲେଖିଛନ୍ତି। ପୂର୍ବରୁ, ମସ୍କଙ୍କ ସହ କଥାବାର୍ତ୍ତା କରିବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଥିଲେ, “ଏଲନ୍ ମସ୍କଙ୍କ ସହ କଥାବାର୍ତ୍ତା ସମୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏଥିରେ ଚଳିତ ବର୍ଷ ଆରମ୍ଭରେ ୱାଶିଂଟନ୍ ଡିସିରେ ଆମର ବୈଠକ ସମୟରେ ଆଲୋଚନା ହୋଇଥିବା ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ ଥିଲା। ଆମେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ସହଯୋଗର ଅପାର ସମ୍ଭାବନା ବିଷୟରେ ଆଲୋଚନା କରିଥିଲୁ।
ଭାରତ ଏହି କ୍ଷେତ୍ରଗୁଡ଼ିକରେ ଆମେରିକା ସହିତ ଏହାର ସହଭାଗୀତାକୁ ଆହୁରି ବୃଦ୍ଧି କରିବାକୁ ପ୍ରତିବଦ୍ଧ,” ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଶେଷ ଥର ପାଇଁ ଚଳିତ ବର୍ଷ ଫେବୃଆରୀରେ ତାଙ୍କର ଆମେରିକା ଗସ୍ତ ସମୟରେ ଏଲୋନ ମସ୍କଙ୍କୁ ଭେଟିଥିଲେ। ସେହି ସମୟରେ ମସ୍କ ତାଙ୍କର ତିନି ପିଲାଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ।
୧୦୦ ପ୍ରତିଶତ ଟିକସ ଯୋଗୁଁ ଏପର୍ୟ୍ୟନ୍ତ ଟେସଲା ଭାରତରେ ଏହାର ଋଠ କାର ବିକ୍ରି କରିପାରୁନାହିଁ। ଭାରତ ଚାହୁଁଛି ଯେ ମସ୍କ ଭାରତରେ ଏକ କାରଖାନା ସ୍ଥାପନ କରନ୍ତୁ ଏବଂ ଏଠାରେ ତାଙ୍କର କାର ବିକ୍ରି କରନ୍ତୁ। ଅନ୍ୟପକ୍ଷରେ, ଏଲୋନ ମସ୍କଙ୍କ ଷ୍ଟାରଲିଙ୍କ ମଧ୍ୟ ଭାରତରେ ବିସ୍ତାର କରିବାକୁ ଚାହୁଁଛି। ଅନ୍ୟପକ୍ଷରେ ଏହି ଆଲୋଚନା ଓ ମସ୍କଙ୍କ ପ୍ରସ୍ତାବିତ ଭାରତ ଗସ୍ତ ପରେ ଟେସଲାର ଭାରତ ଏଣ୍ଟ୍ରି ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଛି ।