ନୂଆଦିଲ୍ଲୀ: ୩ ଆତଙ୍କବାଦୀଙ୍କୁ ସଫା କଲେ ସେନା । ଜମ୍ମୁ ଓ କଶ୍ମୀରରେ କୁପଓ୍ଵାଡା ଏବଂ ରଜୌରୀରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବେଳେ ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି । ପାକିସ୍ତାନରୁ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା କଥା ସେନା ଗୁଇନ୍ଦା ସୂଚନା ଦ୍ୱାରା ଜାଣିବା ପରେ ସେନା ଓ ଜାମ୍ମୁକାଶ୍ମୀର ପୋଲିସର ମିଳିତରେ ସନ୍ଧାନ ଆରମ୍ଭ ହୋଇଥିଲା । ଏହି ସମୟରେ ସେନା ଉପରକୁ ଆତଙ୍କବାଦୀ ମାନେ ଗୁଳିମାଡ କରିଥିଲେ । ସେନା ମଧ୍ୟ ଉଚିତ୍ ପଲଟା ଜବାବ ଦେବାକୁ ଯାଇ କୁପୱାଡ଼ା ଜିଲ୍ଲାର ଏଲ୍ଓସି ନିକଟରେ ପୃଥକ୍ ୨ଟି ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥିସହିତ ରଜୌରିରେ ମଧ୍ୟ ଏନକାଉଣ୍ଟର ଜାରି ରହିଛି । ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସେଠି ଆହୁରି ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନା ଅନୁଯାୟୀ, ଜମ୍ମୁ ଓ କଶ୍ମୀରରେ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ ହେବ । ୯୦ଟି ସିଟରେ ତିନିଟି ପର୍ୟ୍ୟାୟରେ ନିର୍ବାଚନ ହେବ । ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ହେବ । ସେପ୍ଟେମ୍ବର ୨୫ରେ ଦ୍ୱିତୀୟ ଏବଂ ଅକ୍ଟୋବର ୧ରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଭୋଟ୍ ଗଣତି ଏବଂ ନିର୍ବାଚନର ଫଳାଫଳ ଅକ୍ଟୋବର ୪ରେ ଆସିବ । ତେଣୁ ଅଞ୍ଚଳରେ କଡାକଡି ହେଉଛି ସୁରକ୍ଷା ବ୍ୟବସ୍ଥା ।