( ଭୁବନେଶ୍ୱର / ରିପୋର୍ଟସଟୁଡେ): ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ପୂର୍ବରୁ ଚାରୋଟି ପର୍ୟ୍ୟାୟରେ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ ଗତକାଲି ରାତିରେ ଓଡ଼ିଶା ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରେ ୬ଟି ଲୋକସଭା ଆସନ ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ରହିଛି। ତେବେ ଏହି ତାଲିକାରେ ନିଜ ନାଁ ନଥିବାରୁ ପୂର୍ବତନ ବିଧାୟକ ସାଧୁ ନେପାକ ଦଳରୁ ଇସ୍ତଫା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏନେଇ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ବରଗଡ଼ ଲୋକସଭା ଆସନରୁ କଂଗ୍ରେସ ପ୍ରଦୀପ କୁମାର ଦେବତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବରଗଡ଼ ବିଧାନସଭା ଆସନ ପାଇଁ ନିପନ ଦାଶଙ୍କ ନାମ ଘୋଷଣା କରିଛି। ଶ୍ରୀ ନେପାକ ବରଗଡ଼ ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ।
ସାଧୁ ନେପାକ କହିଛନ୍ତି ଯେ କିଛି ଦିନ ପୂର୍ବରୁ ତାଙ୍କୁ ଟିକେଟ୍ ଦିଆଯିବ ବୋଲି କୁହାଯାଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ୍ କାଟି ଦିଆଗଲା। ପ୍ରାର୍ଥୀ ତାଲିକା ଘୋଷଣା ପରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଗଲା। ସେମାନେ ନିଜ ନିଜ ଇସ୍ତଫାପତ୍ର ଦେବା ସହିତ ମୋତେ ବି ଇସ୍ତଫା ଦେବାକୁ କହିଲେ। ମୁଁ କର୍ମୀ ଓ ଜନସାଧାରଣଙ୍କ ନିଷ୍ପତ୍ତିକ୍ରମେ ଦଳ ଛାଡ଼ିଛି।
ସେ କହିଛନ୍ତି,“କଂଗ୍ରେସ ଦଳ ମୋର ନମସ୍ୟ। ମୋ ଶରୀରରେ କଂଗ୍ରେସର ରକ୍ତ ପ୍ରବାହିତ ହେଉଛି। କଂଗ୍ରେସ ଦଳ ମୋତେ ସମ୍ମାନ ଦେଇଛି। ୧୯୭୦ ମସିହାରୁ ଏ ଦଳ ସହିତ ରହି ମୁଁ କାମ କରିଛି। ମାତ୍ର କେତେବ ସ୍ୱାର୍ଥପର ବ୍ୟକ୍ତି ଦଳକୁ ବରବାଦ କରିବା ପାଇଁ ବସିଛନ୍ତି।”
ସାଧୁ ନେପାକ ତାଙ୍କ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ କହିଛନ୍ତି ଯେ ସେ ତାଙ୍କ ଅଞ୍ଚଳ ଲୋକଙ୍କୁ ଭଲ ପାଆନ୍ତି ଓ ତାଙ୍କ ପାଇଁ କାମ କରିବେ। ଯଦି ଲୋକେ କହିବେ, ତା’ହେଲେ ସେ ଚଳିତ ନିର୍ବାଚନ ଲଢ଼ିବେ।
ସେ ତାଙ୍କ ଇସ୍ତଫାପତ୍ର ଜିଲ୍ଲା ସଭାପତି, ପିସିସି ସଭାପତି ଓ କଂଗ୍ରେସ ଅଧ୍ୟକ୍ଷଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି।