କଟକ : ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ମାମଲା, ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କୁ ଜାମିନ । ହାଇକୋର୍ଟରୁ ମିଳିଲା ଶରତ ନାୟକଙ୍କୁ ଜାମିନ । ଅଡିଓ ଭାଇରାଲ ପରେ ଗିରଫ ହୋଇଥିଲେ ଶରତ । କେସ୍ ରଫାଦଫା ନେଇ ଶରତଙ୍କ ଅଡିଓ ଭାଇରାଲ ହୋଇଥିଲା । ଗତ ୨୨ ତାରିଖରେ ସମ୍ପୃକ୍ତ ଖେଳ ଶିକ୍ଷକ ଅନୁପ ରାୟଙ୍କ ସହ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶରତ ନାୟକଙ୍କୁ ଗିରଫ କରିଥିଲା ପୋଲିସ ।
ସୂଚନାଯୋଗ୍ୟ ଯେ, ଗତ ଜୁନ୍ ମାସ ୧୮ ତାରିଖରେ ଦଶମ ଶ୍ରେଣୀରେ ପଢୁଥିବା ଶୁଖୁଆପଡା ଗ୍ରାମର ନାବାଳିକାଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ପରିବାର ଲୋକେ କିନ୍ତୁ ଏ ଅସ୍ୱାଭାବିକ ମୃତ୍ୟୁ ସମ୍ପର୍କରେ ପୋଲିସକୁ ଜଣାଇନଥିଲେ । ପୋଲିସକୁ ସୂଚନା ନଦେଇ ମୃତଦେହ ସଂସ୍କାର କରି ଦିଆଯାଇଥିଲା । ନାବାଳିକାଙ୍କ ଅସ୍ୱାଭାବିକ ମୃତ୍ୟୁ ପଛରେ ପ୍ରେମ ସମ୍ପର୍କ ଥିବା କୁହାଯାଇଥିଲା । ସେ ପଢୁଥିବା ସ୍କୁଲର ଖେଳ ଶିକ୍ଷକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା କଥା ତାଙ୍କ ପରିବାର ଲୋକେ ଜାଣିବା ପରେ ଲୋକଲଜ୍ଜା ଯୋଗୁଁ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ ବୋଲି କୁହାଯାଉଥିଲା । ଅନ୍ୟପଟେ ନାବାଳିକା ଜଣଙ୍କ ସେ ପଢୁଥିବା ସ୍କୁଲର ଖେଳ ଶିକ୍ଷକଙ୍କୁ ମୃତ୍ୟୁ ପୂର୍ବରୁ ଏକ ଚିଠି ଲେଖିଥିଲେ ।
ଅନ୍ୟପଟେ ସମ୍ପୃକ୍ତ ସାରଙ୍କ ମା’ଙ୍କ ସହ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶରତ ନାୟକଙ୍କ ଫୋନ୍ କଲ୍ର ରେକର୍ଡ ଭାଇରାଲ୍ ହେଉଥିବା ଦାବି କରାଯାଉଥିଲା । ଯେଉଁଥିରେ ମାମଲାକୁ ରଫାଦଫା କରିବାକୁ ଶରତ ନାୟକ ୭୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ଜଣାପଡିଥିଲା । ଯାହା ଏହି ନାବାଳିକା ମୃତ୍ୟୁ ମାମଲାକୁ ବିବାଦୀୟ କରି ଦେଇଥିଲା ।