ବ୍ୟୁରୋ : ଆଖି ଡେଇଁବା ବା ଫଡ଼ ଫଡ଼ ହେବାକୁ ନେଇ ଅନେକଙ୍କ ମଧ୍ୟରେ ଶୁଭ ଓ ଅଶୁଭ ସଙ୍କେତ କୁନେଇ ବିଶ୍ୱାସ ରହିଛି । କୁହାଯାଏ, ମହିଳାଙ୍କ ବାମ ଆଖି ଓ ପୁରୁଷର ଡାହାଣ ଆଖି ଡେଇଁବା ଶୁଭ ହୋଇଥାଏ । ତେବେ କାହିଁକି ଆଖି ଡେଇଁଥାଏ ଆସନ୍ତୁ ସେ ବିଷୟରେ ଜାଣିବା….
ଆଖି ଡେଇଁବା ଏକ ସାମାନ୍ୟ କଥା । ଏହା କିଛି ମୁହୂର୍ତ୍ତ ପାଇଁ ହୋଇପାରେ କିମ୍ବା ଗୋଟିଏ କିମ୍ବା ଦୁଇ ଦିନ ପର୍ୟ୍ୟନ୍ତ ରହିଥାଏ । କିନ୍ତୁ ଅଧିକ ସମୟ ପାଇଁ ଆଖି ଡେଇଁବା ଚିନ୍ତାଜନକ ହୋଇପାରେ ।
ହେଲେ ଏହା ପଛରେ ଅଛି ବୈଜ୍ଞାନିକ କାରଣ । ଲୋକକଥା ବ୍ୟତୀତ ବୈଜ୍ଞାନିକଙ୍କ ମତରେ ଚକ୍ଷୁରେ ଥିବା ମାଂଶପେଶୀ କାରଣରୁ ଆଖି ଡେଇଁଥାଏ । ଯଦି ଏହା ବାରମ୍ବାର ହେଉଛି ଚିକିତ୍ସା ଦ୍ୱାରା ଏହା ଭଲ ହୋଇପାରିବ । ତେବେ ପୁରୁଷଙ୍କ ଡାହାଣ ଆଖି ଓ ମହିଳାଙ୍କ ବାମ ଆଖି ଡେଇଁଲେ ଶୁଭ ଖବର ମିଳିଥାଏ ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି ।
ସେହିପରି ଆଖିର ଶୁଖିଲାପଣ କାରଣରୁ ଆଖି ଡେଇଁଥାଏ । ଏହା ବ୍ୟତୀତ ଆଖିରେ ଆଲର୍ଜି କିମ୍ବା ପାଣି ଗଡ଼ିବା ଯୋଗୁଁ ମଧ୍ୟ ଏପରି ହୋଇପାରେ ।
ଏହା ବ୍ୟତୀତ ନିଦ ପୂରା ହୋଇନଥିଲେ ଆଖି ଫଡଫଡ଼ ହୁଏ । ଦୀର୍ଘ ସମୟ ପର୍ୟ୍ୟନ୍ତ ଚାହିଁ ରହି ବହି ପଢ଼ିବା କିମ୍ବା ଫିଲ୍ମ ଦେଖିବା ଯୋଗୁଁ ନିଦ ପୂରା ହୁଏ ନାହିଁ । ବର୍ତ୍ତମାନ ସମୟରେ ମୋବାଇଲ ଦେଖିବା ମଧ୍ୟ ଆଉ ଏକ କାରଣ ପାଲଟିଛି । କମ୍ପ୍ୟୁଟର, ମୋବାଇଲ ଅଧିକ ସମୟ ଯାଏଁ ଚଲାଇଲେ ମଧ୍ୟ ଦୈନନ୍ଦୀନ ଜୀବନରେ ଏଭଳି ସମସ୍ୟା ଦେଖାଦେଇଥାଏ ।
ଆଖିର ମାଂସପେଶୀରେ ବକ୍ରତା କିମ୍ବା କୌଣସି ସମସ୍ୟା କାରଣରୁ ବି ଆଖି ଡେଇଁଥାଏ । ଏହି ସ୍ଥିତିରେ ଆଖିର ମାଂସପେଶୀ ସଙ୍କୁଚିତ ହୋଇଥାଏ । ଦୃଷ୍ଟିଶକ୍ତି କମିବା ମଧ୍ୟ ଆଖି ଡେଇଁବାର ଏକ କାରଣ ହୋଇଥାଏ ।
ଥକ୍କାପଣ ଓ ଚିନ୍ତା ଯୋଗୁଁ ମଧ୍ୟ ଆଖି ଡେଇଁଥାଏ । କୌଣସି କଥାକୁ ନେଇ ଚିନ୍ତିତ ଥିଲେ ବାରମ୍ବାର ସେହି କଥାକୁ ଭାବିବା ଦ୍ୱାରା ଷ୍ଟ୍ରେସ ଅଧିକ ବଢ଼ିଥାଏ । ଯେଉଁଥିପାଇଁ ଆଖି ଡେଇଁବା ଆରମ୍ଭ ହୋଇପାରେ ।