(ବିଶାଖାପାଟଣା): ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପାଲକୋଣ୍ଡା ପୋଲିସ ଆଜି ଆନ୍ଧ୍ର-ଓଡ଼ିଶା ସୀମାନ୍ତରୁ ୭ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୫ଟି ଦେଶୀ ବନ୍ଧୁକ ସହ ୧୦ ରାଉଣ୍ଡ ଗୁଳି, ଗୋଟିଏ ଟ୍ୟାବ, ୩ଟି ମୋବାଇଲ, ୨ଟି ନକଲି ପିସ୍ତଲ ଓ ମାଓବାଦୀମାନେ ପିନ୍ଧୁଥିବା ପୋଷାକ ଆଦି ଜବତ ହୋଇଛି । ସୂଚନା ଅନୁଯାୟୀ, ସୋମବାର ସ୍ଥାନୀୟ ବୀରଘାଟମ ଗାଁର Sଜଣେ ଗୁଟଖା ବ୍ୟବସାୟୀଙ୍କ ଘରେ ୩ ଜଣ ନକଲି ମାଓବାଦୀ ପହଞ୍ଚି ତାଙ୍କୁ ୧ ଲକ୍ଷ ଟଙ୍କା ଦେବା ପାଇଁ ଧମକାଇଥିଲେ। ତେବେ ସେମାନଙ୍କ ପାଖରେ ବନ୍ଧୁକ ଥିବା ଦେଖି ବ୍ୟବସାୟୀ ଜଣକ ଚିତ୍କାର କରିବାରୁ ସେମାନେ ଫେରାର ହୋଇଥିଲେ । ପରେ ପୋଲିସ ପାଖରେ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଆଧାର କରି ପ୍ରଥମେ ୩ ଜଣଙ୍କୁ ପୋଲିସ ଗିରଫ କରିବା ପରେ ଅନ୍ୟମାନେ ଧରାପଡିଥିଲେ । ଗିରଫ ନକଲି ମାଓବାଦୀମାନଙ୍କ ନାଁରେ ବ୍ୟବସାୟୀମାନଙ୍କୁ ଧମକ ଦେଇ ଟଙ୍କା ଆଦାୟ କରିବାର ଅଭିଯୋଗ ରହିଛି ।