ଜେଲ ଗଲା ନକଲି ପୁଲିସ

0

ଜୟପୁର/ମନୋଜ ଦାଶ : ପୁଲିସ ପୋଷାକ ପିନ୍ଧି ଚାନ୍ଦା ଆଦାୟ ଅଭିଯୋଗରେ ଅଟକ ଯୁବକକୁ ଗିରଫ କରିଛି ଜୟପୁର ଟାଉନ ପୁଲିସ। ସେ ହେଲା ମଧ୍ୟପ୍ରଦେଶ ଇନ୍ଦୋର ଲଚ୍ଛମନଖେଡ଼ିର ଭଗବାନ ନାଥ(୪୧)। ତାକୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଥିବା ଆଇଆଇସି ସତ୍ୟାନନ୍ଦ ପାତ୍ର କହିଛନ୍ତି। ଅଜଣା ବ୍ୟକ୍ତି କୌଣସି ବାହାନା କରି ଟଙ୍କା ମାଗୁଥିଲେ କିମ୍ବା ସନ୍ଦେହ ହେଲେ ପୁଲିସକୁ ଜଣାଇବାକୁ ଶ୍ରୀ ପାତ୍ର ଜନସାଧାରଣଙ୍କୁ ଅପିଲ କରିଛନ୍ତି। ଗତ ୧୩ ତାରିଖରେ ଭଗବାନ ସ୍ଥାନୀୟ ନୂଆସାହି, ତେଲିସାହିରେ ପୁଲିସ ପୋଷାକ ପିନ୍ଧି ଚାନ୍ଦା ମାଗୁଥିଲା। ଜାନୁଆରୀ ୨୬ରେ ପ୍ୟାରେଡ୍ ଲାଗି ପିଲାଙ୍କୁ ତାଲିମ ଦିଆଯିବ କହି କେତେକଙ୍କ ପାଖରୁ ୧୦୦ ଟଙ୍କା ଲେଖାଏଁ ନେଇଥିଲା। ସାମ୍ବାଦିକ ସୁମନ୍ତ ସାହୁଙ୍କ ହାବୁଡ଼ରେ ପଡିଥିଲା ଭଗବାନ। ଖବର ପାଇ ପୁଲିସ ପହଞ୍ଚିଥିଲା। ତାକୁ ଉଦ୍ଧାର କରି ଥାନାକୁ ଆଣିଥିଲା। ପଚରାଉଚରା ବେଳେ ନକଲି ପୁଲିସ ସାଜି ଟଙ୍କା ମାଗୁଥିବା ସ୍ଵୀକାର କରିଥିଲା। ଶ୍ରୀ ସାହୁଙ୍କ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏସ୍ଇ ସଞ୍ଜୀବ କୁମାର ମହାନ୍ତି ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି।