ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି ୭୯ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଅନ୍ତର୍ଗତ ଜଣେ ହିତାଧିକାରୀଙ୍କ ପରିବାର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ମାଧ୍ୟମରେ ବୀମା ଟଙ୍କା ପ୍ରଦାନ କରାଯାଇଛି।
ସୂଚନା ମୁତାବକ ପୁଷୁଗୁଡା ପଞ୍ଚାୟତର ପେଣ୍ଟା ଗ୍ରାମର ରାମା ମାଡକାମି ଗତ ମେ ୧୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଏକ ବୀମା ଖାତା ଖୋଲିଥିଲେ। ଏହି ଖାତାରେ ନିୟମିତ ଭାବେ ମାସିକ ୪୩୬ ଟଙ୍କା ଜମା କରି ଆସୁଥିଲେ। ତେବେ ଗତ ଅକ୍ଟୋବର ୩ ତାରିଖରେ ରାମା ମାଡକାମି ମୃତ୍ଯୁବରଣ କରିବାରୁ ପରିବାର ଲୋକ ଗୁଜୁରାଣ ମେଣ୍ଟାଇବାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ପରିବାର ଲୋକେ ରାମା ର ଆକଉଣ୍ଟରେ କେତେ ଟଙ୍କା ରହିଛି, ତାହା ଯାଂଚ କରିବାକୁ ଏମଭି ୭୯ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାକୁ ପଚରା ଉଚରା କରିବା ସହ ରାମାର ମୃତ୍ଯୁ ବାବଦରେ ଅବଗତ କରାଇବାରୁ ମ୍ୟାନେଜର ଏ ପେଟଚିମୁଥୁ ରାମାଙ୍କ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ବାବଦରେ କହିଥିଲେ। ଏଥିସହ ଆବଶ୍ୟକ ପ୍ରକ୍ରିୟା ସମ୍ପାଦନ ପରେ ପରିବାର ଲୋକଙ୍କୁ ବୀମା ଟଙ୍କା ପ୍ରଦାନ କରାଯିବା ନେଇ ସୂଚନା ଦେଇଥିଲେ। ଏହା ଜାଣିପାରି ରାମଙ୍କ ପରିବାର ଲୋକ ରାମାର ମୃତ ପ୍ରମାଣପତ୍ର ସହ ଆବଶ୍ୟକୀୟ କାଗଜ ପତ୍ର ଜମା କରିବା ପରେ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ପକ୍ଷ୍ୟରୁ ରାମା ଙ୍କ ପରିବାର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ପ୍ରଦାନ ବେଳେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏମଭି ୭୯ ଶାଖା ର ମ୍ୟାନେଜର, ଗ୍ରାହକ ସହାୟକ କମଳାକାନ୍ତ ସମେତ ବ୍ୟାଙ୍କର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଅନ୍ୟପଟେ ରାମାର ପରିବାର ଲୋକେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଟଙ୍କା ଗ୍ରହଣ ପରେ ବ୍ୟାଙ୍କ କର୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ।