ବୁଡାଗୁଡା ଧାନମଣ୍ଡିରେ ଚାଷୀଙ୍କ ଉତ୍ତେଜନା

0

(ସନ୍ତୋଷ କୁମାର ଲମତା/କଲ୍ୟାଣସିଂପୁର): ରାୟଗଡା ଜିଲା କଲ୍ୟାଣସିଂହପୁର ବୁଡାଗୁଡା ଆରଏମସି ଠାରେ ସୋମବାର ଚାଷୀ ଉତ୍ତେଜନା ଦେଖାଦେଇଛି । ମାଝିଗୁଡା ମଣ୍ଡିରେ ଚାଷୀଙ୍କ ଧାନ ନ ଉଠାଉଥିବାରୁ ଚାଷୀମାନ ଉତ୍ତ୍ୟକ୍ତ ହୋଇ ଏମଡି ମୋହନ ଚରଣ ଧିରକୁ ଏକ କୋଠରୀରେ ପୁରାଇ ଚାରିଘଣ୍ଟା ଧରି ବନ୍ଦ ରଖିଥିଲେ । ପୋଲିସର ହସ୍ତକ୍ଷେପ ପରେ ତାଙ୍କୁ କୋଠରୀରୁ ବାହାର କରାଯାଇଥିଲା । ଧାନବିକ୍ରି କରିବାର ୩ ଦିନ ଭିତରେ ଚାଷୀଙ୍କ ଜମାଖାତାକୁ ଟଙ୍କା ଆସିବାର ନିୟମ ରହିଛି । କିନ୍ତୁ ଧାନ ବିକ୍ରି ହେବାର ଦୀର୍ଘ ମାସ ବିତିଥିଲେ ବି ଏଠାକାର ଚାଷୀମାନେ ଟଙ୍କା ପାଇନଥିବା ଅଭିଯୋଗ ହୋଇଛି । ସେହିପରି ଜିଲ୍ଲା ଯୋଗାଣ ବିଭାଗ, ସମବାୟ ସମିତି ଓ ମିଲର୍ସଙ୍କ ମନମୁଖି କାର୍ଯ୍ୟକଳାପକୁ ନେଇ ଆଜି ଚାଷୀମାନେ ଏକାଠି ବୁଡାଗୁଡା ଆରଏମସିକୁ ଘେରାଉ କରିଥିଲେ । ଖବର ପାଇ କଲ୍ୟାଣସିଂପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, କଲ୍ୟାଣସିଂହପୁର ବ୍ଲକରେ ମୋଟ ୮୧,୯୦୬ କୁଇଣ୍ଟାଲ ଧାନ କିଣିବାକୁ ଥିବାବେଳେ ବର୍ତ୍ତମାନପ୍ରାୟ ୪୪,୨୨୦ କୁଇଣ୍ଟାଲ କିଣାଯାଇଛି । ବାକି ଧାନ କିଣା ଯାଉନଥିବାରୁ ମଣ୍ଡିରେ ଚାଷୀମାନେ ଧାନ ପକାଇ ଶୀତ କାକରରେ ଜଗି ରହିଛନ୍ତି । ଅନେକ ଚାଷୀଙ୍କ ଟୋକନ ଏଯାଏ ଆସିନଥିବା ଅଭିଯୋଗ ହେଉଛି । ଏହି ବ୍ଲକରେ ମୋଟ ୧୮୪୦ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ପ୍ରାୟ ୧୮୦୦ ଚାଷୀଙ୍କ ଟୋକନ ଆସିସାରିଛି । ତେବେ ବାକି ୪୦ ଜଣଙ୍କ ଟୋକନ ଆସିନଥିବାରୁ ଏହି ଚାଷୀମାନେ ଅମଳ କରିଥିବା ଧାନ କିପରି ବିକ୍ରି କରିବେ ସେନେଇ ଚିନ୍ତାରେ ପଡିଛନ୍ତି । ଧାନ କିଣା ବେଳେ ଧାନ ମଣ୍ଡିରେ କୌଣସି ଉପରିସ୍ଥ ଅଧିକାରୀ ଉପସ୍ଥିତ ରହୁ ନଥିବାରୁ ଏସବୁ ସମସ୍ୟା ଉପୁଜୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।