ଧାନ କ୍ଷୟକ୍ଷତି ଦାବୀରେ ଓଦା ଧାନ ବସ୍ତା ସହ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ସାମ୍ନାରେ ଧାରଣା ଦେଲେ ଚାଷୀ

0

ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର ନବନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ପାଢ଼ୀଙ୍କ ନେତୃତ୍ୱରେ ସଂଗଠନ ପକ୍ଷରୁ ଶତାଧିକ ଚାଷୀ ରବି ଧାନ ନ ଉଠିବା ଓ ମଣ୍ଡିରେ ଧାନ ପଡ଼ି ବର୍ଷା ଜନିତ କ୍ଷୟକ୍ଷତିରେ ଧାନ ଗଜା ହୋଇଯିବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ପ୍ରତିବାଦ କରିଛନ୍ତି । ଚାଷୀ ମାନେ ଅଭିଯୋଗ କରିଛନ୍ତି ମଣ୍ଡି ରେ ପଡ଼ି ଧାନ ଯଦି କ୍ଷତି ହେବ ତାର ଭରଣା କିଏ ଦେବ ? ୫୦ ଜଣ ମିଲର୍ସ ଙ୍କ ସ୍ୱାର୍ଥ ଦେଖି ପ୍ରଶାସନ ହଜାର ହଜାର ଚାଷୀଙ୍କ ଭାଗ୍ୟକୁ ବଳି ପକାଉଛି ବୋଲି ଅନେକ ଚାଷୀ ଅଭିଯୋଗ କରିଥିଲେ । ୩୧୦୦ ଧାନ କ୍ଵିଣ୍ଟାଲ ଦେଲେ କଣ ୧୦ କେଜି କଟନି ଓ ଧାନ ଗଜା ହେବା ସ୍ଵୀକାର କରିବାକୁ ପଡ଼ିବ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । କେବେ ସୁଦ୍ଧା ଧାନ ଉଠିବ ଲିଖିତ ହିସାବରେ ନ ଜଣାଇଲେ ଚାଷୀ ମାନେ ସବୁ ଧାନ ସି ଏସ ଓ ଅଫିସ ଓ କଲେକ୍ଟର ଅଫିସରେ ଗଦାଇବା ସହ ରାଜ ରାସ୍ତାରେ ପକାଇ ବିକ୍ଷୋଭ କରିବା ହିଁ ଶେଷ ରାସ୍ତା ବୋଲି ଆଜି ଚେତାବନୀ ଦେଇଛନ୍ତି ।

ଧାନ ମଣ୍ଡି ପାଇଁ ଭିତ୍ତିଭୂମି ନ ଥିବାରୁ ଲୋକ ସବୁ ରାସ୍ତା ରେ ଧାନ ଜମା କରିଛନ୍ତି । ଆଗକୁ ପାତାଳୀ ଶ୍ରୀକ୍ଷେତ୍ର ରଥଯାତ୍ରା ଆସୁଥିବାରୁ ଏହି ଧାନ ଶୀଘ୍ର ନ ଉଠିଲେ ଗମ୍ଭୀର ଟ୍ରାଫିକ ଓ ପାର୍କିଂ ଅସୁବିଧା ଦେଖାଯିବ । ଏହା ସତ୍ତ୍ୱେ କେହି ସମ୍ବେଦନଶୀଳ ନ ହେବା ରୁ ପ୍ରଶାସନ ମିଲର୍ସ ଓ ବେପାରୀ ମାନଙ୍କ ମଧୁଚନ୍ଦ୍ରିକା ବୋଲି ସେମାନେ ଅଭିଯୋଗ କରିଛନ୍ତି । ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ରଥଯାତ୍ରା ପୂର୍ବରୁ ଧାନ ଉଠେଇ ନେବା ପାଇଁ ଦାବୀ ରଖିଥିଲେ। ଆରକ୍ଷୀ ଅଧିକ୍ଷକ ଓ ଅତିରିକ୍ତ ଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ସାଏ ୨୬ ତାରିଖ ମଧ୍ୟରେ ଧାନ ଉଠେଇ ନେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଲା ପରେ ଚାଷୀ ମାନେ ବୁଝିଥିଲେ । ଏଥିରେ ଖିଲାପି ହେଲେ ବାଧ୍ୟହୋଇ  ଚାଷୀ ରାଜରାସ୍ତାକୁ ଓହ୍ଲାଇବେ  ବୋଲି ସଂଗଠନର ଚାଷୀ ମାନେ କହିଛନ୍ତି l