ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥର ବଡ଼ ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଉକ୍ତ ଦୁର୍ଘଟଣାରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ପଲାସା ରୁ କୋଲକତା ଅଭିମୁଖେ ଆସୁଥିବା ଏକ କାଜୁ ତେଲ ବୋଝେଇ ଆନ୍ଧ୍ର ଟ୍ୟାଙ୍କର ହଠାତ ବଡ଼ ଘାଟି ଉପରେ ବ୍ରହ୍ମପୁର ରୁ କେଶପୁର ଅଭିମୁଖେ ଆସୁଥିବା ଏକ ବାଇକକୁ ଶକ୍ତ ଧକ୍କା ଦେଇଥିଲା । ପରେ ଆଉ ଏକ କାର ସହ ଧକ୍କା ଦେଇ ଟ୍ୟାଙ୍କର ଟି ଘାଟି ଉପରୁ ୪୦ ଫୁଟ ତଳକୁ ଖସି ପଡିଥିଲା । ଉକ୍ତ ଦୁର୍ଘଟଣାରେ ବାଇକ୍ ଚାଳକ ବିକ୍ରମପୁର ଗ୍ରାମର ରାମଚନ୍ଦ୍ର ପୃଷ୍ଟି ଓ ତାଙ୍କ ଭଣଜା ଆଶୁତୋଷ ସୁବୁଦ୍ଧି ଆହତ ହୋଇଥିବା ବେଳେ ରାମଚନ୍ଦ୍ରଙ୍କ ଭଉଣୀ ବିଷ୍ଣୁ ପ୍ରିୟା ସୁବୁଦ୍ଧିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ସେହି ପରି କାର ରେ ଥିବା ବିକ୍ରମପୁର ଅଞ୍ଚଳର ଶଙ୍କର ପରିଡ଼ା ,ରାଜେନ୍ଦ୍ର ପ୍ରଧାନ, ଶୁଭ୍ରଜିତ ମହାନ୍ତି ସାମାନ୍ୟ ଆହତ ହୋଇ ଥିବା ବେଳେ ଟ୍ୟାଙ୍କର ଚାଳକ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ର ନରସିଂହ ରାଓଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ହେଲ୍ପର ଜୟରାମ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ତୁରନ୍ତ ହାଇୱେ ପେଟ୍ରୋଲିଂ ପୋଲିସ ଖଲ୍ଲିକୋଟ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ । ସେଠାରେ ବାଇକ୍ ଚାଳକ ରାମଚନ୍ଦ୍ର ପୃଷ୍ଟି ଓ ତାଙ୍କ ଭଣଜା ଆଶୁତୋଷ ସୁବୁଦ୍ଧି ଓ ଟ୍ୟାଙ୍କର ହେଲ୍ପର ଜୟରାମ ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତର କରାଯାଇଛି ଏବଂ କାର ରେ ଥିବା ଶଙ୍କର ପରିଡ଼ା ,ରାଜେନ୍ଦ୍ର ପ୍ରଧାନ, ଶୁଭ୍ରଜିତ ମହାନ୍ତି ଖଲ୍ଲିକୋଟ ମେଡ଼ିକାଲରେ ଚିକିତ୍ସାଧିନ ଅଛନ୍ତି । ଅନ୍ୟପଟେ ପୋଲିସ ଦୁର୍ଘଟଣା ସ୍ଥଳରେ ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।