(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ଵୀପ): ୨୨ ବର୍ଷ ପୁଅର ଫଟୋ ଧରି ପାରାଦ୍ଵୀପରେ ବୁଲି ବୁଲି ଖୋଜୁଛନ୍ତି ବୃଦ୍ଧ ବାପା। ପୁଅ ଗତ ୧୦ ଦିନ ହେଲା କେଉଁଆଡେ ଚାଲିଯାଇଛି । ମିଳିଥିବା ସୂଚନା ଅନୁସାରେ , ବାଲିକୁଦା ଥାନା ଅନ୍ତର୍ଗତ ଅଲ୍ଲୀକଣ୍ଟା ଗ୍ରାମର ଶତ୍ରୃଘନ ମଲ୍ଲିକ ଙ୍କ ବଡ ପୁଅ ସୁକାନ୍ତ ମଲ୍ଲିକ ହଠାତ୍ ଘରଛାଡି କେଉଁଆଡେ ଚାଲିଯାଇଛନ୍ତି। ବାପ ମା ବିଲରୁ ଆସି ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ନିକଟସ୍ଥ ବାଲିକୁଦା ଥାନାରେ ଲିଖିତ ଏତଲା ଦେଇଥିଲେ।
ମାତ୍ର ବାପ ମା ଙ୍କ ମନ ବୁଝିନଥିଲା। ପୁଅକୁ ପାଇବାକୁ , ପୁଅର ଫଟୋ ଧରି ସେମାନେ କଟକ, ଜଗତସିଂହପୁର, ନାଉଗାଁ, ନହରଣା,ରାହାମା , କୁଜଙ୍ଗ ଓ ଶେଷରେ ପାରାଦ୍ଵୀପରେ ପହଞ୍ଚି ବିଭିନ୍ନ ଗଳିକନ୍ଦି ବଜାର ଘାଟରେ ଖୋଜାଖୋଜି କରୁଛନ୍ତି ତାଙ୍କ ବାପା ଶତୃଘନ ମଲ୍ଲିକ। ନିଜର ରୋଜଗାରିଆ ପୁଅ କୁ ବିଭିନ୍ନ ହୋଟେଲ ଓ କଲୋନୀ ,ରାସ୍ତା ଘାଟରେ ପୁଅର ଫଟୋ ଦେଖାଇ ପଚାରୁଛନ୍ତି। ଏପରିକି ସୁକାନ୍ତ ଘରଛାଡି ଯିବା ଦିନରୁ ତାଙ୍କ ଘରେ ଚୁଲି ମଧ୍ୟ ଜଳି ନଥିବା ସେ ପ୍ରକାଶ କରିଛନ୍ତି। ହାତରେ ଖଣ୍ଡିଏ ବ୍ୟାଗ୍ ରେ ଗୋଟିଏ ପାଣି ବୋତଲ ,ବେଡସିଟ୍ ଓ ପୁଅର ଫଟୋ ଧରି ସେ ବୁଲୁଛନ୍ତି ଏ ବଜାରରୁ ସେ ବଜାର।ଯେଉଁଠି ରାତି ହେଲା ସେହିଠାରେ ଶୋଇପଡୁଛନ୍ତି ଶତୃଘନ।ଗୋଟେ ପଟେ ପୁଅର ଫେରିବା ବାଟକୁ ମା ଅନେଇ ବସିଥିବା ବେଳେ ସ୍ତ୍ରୀ ମଧ୍ୟ ଚାହିଁ ରହିଛି ସ୍ବାମୀ ର ଆସିବା ବାଟକୁ। ଯଦି କେହି ସୁକାନ୍ତ ଙ୍କ ସନ୍ଧାନ ପାଆନ୍ତି, ତେବେ ୭୭୮୯୦୨୦୯୪୦ ଫୋନ୍ ନମ୍ବର ରେ ଜଣାଇବାକୁ ଅନୁରୋଧ କରିଛନ୍ତି ସେ।