ତ୍ୟାଗ ବଳିଦାନର ସ୍ୱରୂପ ‘ବାପା’ : ସ୍ନେହ, ଶ୍ରଦ୍ଧା ଓ ଅନୁଶାସନର ପ୍ରତୀକ ବାପାଙ୍କ ପାଇଁ ଦିନଟିଏ

0

ଦୁନିଆରେ ସଭିଁଙ୍କର ବଡ଼ ପରିଚୟ ହେଉଛି ବାପା । କଥାରେ ଅଛି ବାପା ଥିଲେ ପୁଅ ସଭାରେ ହାରେନା । ବାପା ହେଉଛନ୍ତି ଦୁନିଆର ବଡ଼ଶକ୍ତି । ନିଜ ସନ୍ତାନଙ୍କୁ ହାତ ଧରି ଯିଏ ଚାଲିବା ଶିଖାଏ, ସିଏ ହେଉଛନ୍ତି ବାପା। ମୁଣ୍ଡଝାଳ ତୁଣ୍ଡରେ ମାରି ପରିବାର ମହଁରେ ଯିଏ ଆହର ଦିଏ, ସିଏ ହେଉଛନ୍ତି ବାପା। ପରିବାର ସଦସ୍ୟଙ୍କ ପାଇଁ ସେ ଘରର ମରୁବୀ। ଆପଦ ବିପଦରେ ଯାହାର ଛତ୍ରଛାୟା ତଳେ ସୁରକ୍ଷିତ ରହେ ପରିବାର ସେ ହେଉଛନ୍ତି ବାପା ।


ସନ୍ତାନ ଯଦି ମା’ଙ୍କ ଠାରୁ ସଂସ୍କାର ଶିଖେ ତେବେ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ ପରିଶ୍ରମ ଏବଂ ଚଳିବା ପାଇଁ ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ତାହା ପିତାଙ୍କ ଠାରୁ ଅବା କିଏ ଭଲରେ ବୁଝାଇପାରିବ । ଅବଶ୍ୟ ମା’ ୧୦ ମାସ ୧୦ ଦିନ ଗର୍ଭରେ ଧରି ସନ୍ତାନକୁ ଜନ୍ମ ଦେଇଥାନ୍ତି । କିନ୍ତୁ ଜନ୍ମ ହେବା ପରେ ସନ୍ତାନର ପ୍ରତିଟି ପଦକ୍ଷେପରେ ଯାହାଙ୍କ ନଜର ରହିଥାଏ ସେ ହେଉଛନ୍ତି ପିତା । ସନ୍ତାନ ପାଇଁ ପ୍ରଥମ ପ୍ରେରଣାସ୍ତୋତ୍ର ,ସୁରକ୍ଷା କବଚ,ଆତ୍ମବିଶ୍ୱାସର ବାହକ ହେଉଛନ୍ତି ପିତା । ବାପା ସ୍ନେହ, ଶ୍ରଦ୍ଧା ଓ ଅନୁଶାସନର ଏକ ସନ୍ଦୁର ଉଦାହରଣ । ସମୁଦ୍ର ଠାରୁ ବିଶାଳ ତାଙ୍କ ହୃଦୟ ପୁଣି ଆକାଶ ଠାରୁ ଅଧିକ ଭଲ ପାଇବା ଦିଅନ୍ତି । ସେ ଥିଲେ ସବୁ ଅଛି । ଲାଗେ ଯେମିତି ଏ ଦୁନିଆର ତମେ ରାଜା । ଜନ୍ମରୁ ମୃତ୍ୟୁ ପର୍ୟ୍ୟନ୍ତ ତାଙ୍କ ପରିଚୟରେ ଆମକୁ ସମାଜ ଚିହ୍ନେ । ଆମେ ଯେତେବଡ଼ ଲୋକ ଓ ଯେତେବଡ଼ ପଦବୀରେ ଥିଲେ ମଧ୍ୟ ଲୋକେ କହନ୍ତି ସେ ପା ଅମକର ପୁଅ ଓ ଝିଅ । ତାଙ୍କ ସଂସ୍କାର, ଦାୟିତ୍ୱ ସମ୍ପନ୍ନ , କତ୍ତବ୍ୟ , ସ୍ନେହ .ଭଲପାଇବା , ଆର୍ଶୀବାଦ ସବୁବେଳେ ନିସ୍ୱାର୍ଥ ପର ଭାବେ ଥାଏ ସନ୍ତାନ ଉପରେ । ସବୁବେଳେ ସେ ଚାହାନ୍ତି ତାଙ୍କ ସନ୍ତାନ ବହୁତ ଆଗକୁ ଯାଉ ଭଲରେ ରହୁ, ସୁସ୍ଥ ଜୀବନ କଟାଉ ଏମିତି କେତେ କଣ ।


ତେବେ ଆଜି ହେଉଛି ବାପା ପାଇଁ ଦିନଟିଏ ।ଅର୍ଥାତ ଜୀବନକାଳ ମଧ୍ୟରେ ସନ୍ତାନର ଛାଇ ହୋଇ ରହିଥିବା ପିତାଙ୍କ ଯୋଗଦାନକୁ ସମ୍ମାନ ଦେବାକୁ ଯାଇ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରରେ ଭାରତ ସମେତ ବିଶ୍ୱର ବହୁ ଦେଶରେ ‘ଫାଦର୍ସ ଡେ’ ବା ପିତୃଦିବସ ପାଳନ କରାଯାଏ । ଚଳିତ ବର୍ଷ ଜୁନ୍ ୧୮ ଅର୍ଥାତ୍ ଆଜିର ଦିନରେ ସମ୍ପୁର୍ଣ୍ଣ ବିଶ୍ୱ ପିତୃ ଦିବସ ପାଳନ କରୁଛି । ପିତାଙ୍କ ବଳିଦାନର ଋଣ କେହି ବି ଶୁଝି ପାରିବେନି କିନ୍ତୁ ପିତାଙ୍କୁ ସମ୍ମାନର ଉପହାର ତ ଦେଇପାରିବେ । ଆଜି ଦୁନିଆର ସବୁ ପିତାଙ୍କ ପାଇଁ ଶ୍ରଦ୍ଧା ଓ ସମ୍ମାନର ଦିନଟିଏ। ।