ସରକାର ପାଖେ ବନ୍ଧା ରାଜ୍ୟର କିଛି ଗଣମାଧ୍ୟମ

0

ଭୁବନେଶ୍ୱର/ସୁର୍ଜିତ ଧଳ: ସରକାରଙ୍କ ମିଡିଆ ପ୍ରେମ । ସମ୍ପ୍ରତି ରାଜ୍ୟ ସରକାର ମିଡିଆ ପ୍ରେମରେ ବାଇଆ । ଏକଥା ଆମେ କହୁନୁ, ସାଧାରଣରେ ତଥା ବିଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ସରକାରୀ ଦଳ ବିଭିନ୍ନ ଗଣମାଧ୍ୟମ କିଣି ଚାଲିଛନ୍ତି । ସ୍ଥିତି ଏପରି ହୋଇଛି କି, ରାଜ୍ୟରେ ଥିବା ଛୋଟ ବଡ ପ୍ରାୟତଃ ସବୁ ମିଡିଆ ହାଉସ ଏବେ ସରକାରଙ୍କ କବଜାରେ । ହାତ ଗଣତି କିଛି ଗଣମାଧ୍ୟମକୁ ଛାଡିଦେଲେ ସବୁ ସରକାରୀ ଦଳର ମାଲିକାନା, ସହଯୋଗରେ ଚାଲୁଛି । ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଏହି ଗଣମାଧ୍ୟମ ପ୍ରେମକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା । ଗଣମାଧ୍ୟମର ନିରପେକ୍ଷତା ଓ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବାକୁ ଏପରି ଷଡଯନ୍ତ୍ର କରାଯାଉଥିବା  ଚର୍ଚ୍ଚା ହେଉଛି ।

 

ସରକାରଙ୍କ ମିଡିଆ ପ୍ରେମ ଏକ ସୁସ୍ଥ ଗଣତନ୍ତ୍ରର ବିରୋଧାଚରଣ ବୋଲି ମତ ପ୍ରକାଶ ପାଉଛି ।  କୁହାଯାଉଛି, ସରକାରୀ ଦଳ ତଥା କଳ ନିଜ ଦୋଷ ଦୁର୍ବଳତାକୁ ଲୁଚେଇବାକୁ ଏହି ଭୟଙ୍କର ଷଡଯନ୍ତ୍ର କରିଛି । ରାଜ୍ୟର ସମସ୍ତ ମିଡିଆକୁ ନିଜ ଅକ୍ତିଆରରେ ରଖି ମୁଖ୍ୟମନ୍ତ୍ରୀ ତାଙ୍କ ମନମାନି ଓ ଦମନଲୀଳା ଚଳାଇଛନ୍ତି । ଏହି ସବୁ ମିଡିଆ ମାଧ୍ୟମରେ ବାସ୍ତବ ଚିତ୍ରଠୁ ଲୋକଙ୍କୁ ଦୂରେଇ ରଖାଯାଉଛି । ଫଳରେ ଲୋକେ କେବଳ ତାହା ହିଁ ଦେଖୁଛନ୍ତି ଓ ଜାଣୁଛନ୍ତି ଯାହା ଓ ଯେଉଁ ଭାବେ ସରକାର ଲୋକଙ୍କ ନିକଟରେ କୌଣସି ଘଟଣାକୁ ଉପସ୍ଥାପନ କରିବାକୁ ଚାହୁଁଛନ୍ତି । ବାସ୍ତବତାଠାରୁ ଲୋକେ ଅନଭିଜ୍ଞ ରହିଯାଉଛନ୍ତି, ଯାହା ଏକ ସୁସ୍ଥ ସମାଜ ଓ ଗଣତନ୍ତ୍ର ପାଇଁ ହାନିକାରକ ।

ବିଭିନ୍ନ ଘଟଣା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା, ଲୋକଙ୍କୁ ସେମାନଙ୍କ ଅଧିକାରୀ ସମ୍ପର୍କରେ ସଚେତନ କରିବା, ଅବହେଳିତଙ୍କ ସ୍ୱର ସାଜି ସେମାନଙ୍କ ଦାବି ସରକାର ନିକଟରେ ପହଞ୍ଚାଇବା ଓ ସରକାରର ଭୁଲ ତ୍ରୁଟିର ସମାଲୋଚନା କରିବା ହେଉଛି ଗଣମାଧ୍ୟମର କାର୍ଯ୍ୟ । ଗଣମାଧ୍ୟମ ସରକାର ଉପରେ ଅଙ୍କୁଶ ଲଗାଇବା ସହ ବିଧିବ୍ୟବସ୍ଥାକୁ ସୁଗମ କରି ଗଢିବାରେ କାର୍ଯ୍ୟ କରେ । କିନ୍ତୁ ରାଜ୍ୟରେ ଦୀର୍ଘ ୨୨ ବର୍ଷ ଧରି ଶାସନ କରୁଛି ଗୋଟିଏ ଦଳ । ଲୋକଙ୍କ ବିଶ୍ୱାସଭାଜନ ହେବା ପରେ ଦଳ ଚଳାଇଛି ମନମାନି । ଦୁଇଟି ପାଳି ପରେ ସରକାର ଧୀରେଧୀରେ ଦୁର୍ନୀତିରେ ଲିପ୍ତ ରହିଛି । ଏହାକୁ ନେଇ ଗଣମାଧ୍ୟମ ଖବର ପ୍ରସାରଣ କରିବା ପରେ ସରକାର ଧୀରେଧୀରେ ଗଣମାଧ୍ୟମକୁ ନିଜ ଅକ୍ତିଆରକୁ ନେଇଯାଇଛନ୍ତି । ସମ୍ବାଦର ପ୍ରତିଷ୍ଠାତା ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡିରେ ସାମିଲ କରି ସମ୍ବାଦର ସତ୍ୟ ଉପସ୍ଥାପନର କ୍ଷମତାକୁ ଛଡାଇ ନେଲେ । ସେହିପରି ଅଚ୍ୟୁତ ସାମନ୍ତଙ୍କୁ ବିଜେଡି ସାଂସଦ କରି ତାଙ୍କ ପ୍ରତିଷ୍ଠିତ କଳିଙ୍ଗ ଟିଭିର ନିରପେକ୍ଷତାକୁ କିଣିନେଲେ, ସମ ହସ୍ପିଟାଲର ବ୍ୟାପକ ଅନିୟମିତତା ସତ୍ତେ୍ୱ ସମକୁ ପ୍ରାଧାନ୍ୟ ଦେଇ କୋଭିଡ ହସ୍ପିଟାଲର ମାନ୍ୟତା ଦେଇ ମନୋଜ ନାୟକଙ୍କୁ ନିଜ ଅଧୀନକୁ ନେଇଗଲା ସରକାର । ବର୍ତ୍ତମାନ କିଛି ଗଣମାଧ୍ୟମକୁ ସରକାରୀ ଦଳର ନେତା ମନ୍ତ୍ରୀ କିଣିଛନ୍ତି ବା ପ୍ରତିଷ୍ଠା କରିଛନ୍ତି । ସେସବୁ ମଧ୍ୟରେ ରହିଛି ସକାଳ, ସର୍ବସାଧାରଣ, ପ୍ରମୟ, ନନ୍ଦିଘୋଷ, ଏମବିସି, କନକ, ନ୍ୟୁଜ ସେଭେନ, ନକ୍ଷେତ୍ର । ସେହିପରି ବିଭିନ୍ନ ୱେବ ପୋର୍ଟାଲ ମଧ୍ୟ ଶାସକଦଳର ଅର୍ଥରେ କାର୍ଯ୍ୟକରୁଛି ।

ଫଳରେ ଅବହେଳିତ, ଯୋଜନାରୁ ବଞ୍ଚିତ ଜନତାଙ୍କ ସ୍ୱର ସରକାର ନିକଟରେ ପହଞ୍ଚି ପାରୁ ନାହିଁ । ମାଲିକ ଓ ଦଳୀୟ ନେତା ମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅର୍ଦ୍ଧ ସତ୍ୟ ବା ବିଭ୍ରାନ୍ତିକର ଖବର ପ୍ରକାଶ ପାଉଛି ବା ପ୍ରସାରଣ ହେଉଛି । ଯୋଜନାର ବିଫଳତାକୁ ନେଇ ଖବର ଜନତାଙ୍କ ନିକଟରେ ପହଞ୍ଚି ପାରୁ ନାହିଁ । ଶାସକ ଦଳ କବଜାରେ ରାଜ୍ୟର ଗଣମାଧ୍ୟମ ବନ୍ଧା ପଡିଛି । ସରକାରର ଗଣମାଧ୍ୟମ ପ୍ରୀତି ଗଣମାଧ୍ୟମର ସ୍ୱାଧୀନତା, ସ୍ୱାତନ୍ତ୍ରତା, ନିରପେକ୍ଷତା ଓ ସର୍ବୋପରେ ସେବା କାର୍ଯ୍ୟକୁ ଛଡାଇନେଇ ସେସବୁକୁ ନିଜର କିଣା ଚାକର କରିଦେଇଛି । ଗଣମାଧ୍ୟମ ପ୍ରତିଷ୍ଠାତା, ପ୍ରତିନିଧି ନିଜ ବୁଦ୍ଧି, ବିବେକକୁ ସରକାରଙ୍କ ନିକଟରେ ବନ୍ଧାପକାଇଛନ୍ତି, ଯାହା ଅତ୍ୟନ୍ତ ଲଜ୍ଜା ଓ ପରିତାପର ବିଷୟ ।

ନେତା, ମନ୍ତ୍ରୀ, ପ୍ରଶାସକଙ୍କ ଦ୍ୱାରା ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ହରିଲୁଟକୁ ଗଣମାଧ୍ୟମ ଉପସ୍ଥାପନ କରୁ ନାହାନ୍ତି । ଫଳରେ ଦୁର୍ନୀତି, ଅତ୍ୟାଚାର, ଜନବିରୋଧୀ କାର୍ଯ୍ୟ ପାଇଁ ସରକାରର ପଥ ସୁଗମ ହେଉଛି । ସରକାରର ଗୁଣ୍ଡାରାଜ, ପ୍ରଶାସନର ସ୍ୱେଚ୍ଛାଚାରିତା, ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଏହି ନୈତିକତାବିହୀନ ସାମ୍ବାଦିକମାନେ ଉପସ୍ଥାପନ କରୁ ନାହାନ୍ତି । ଯେଉଁଥି ପାଇଁ ପୁରୀ ହାଜତ ମୃତ୍ୟୁ, ପରୀ ହତ୍ୟା, ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରୋଶମୂଳକ ପଦକ୍ଷେପ ଆଦିର ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରୁନାହିଁ । ସରକାରୀ ଦଳକୁ ସୁହାଇବା ପରେ ତଥ୍ୟ ଲୋକଙ୍କୁ ଦେଖାଇ ବିଭ୍ରାନ୍ତ କରାଯାଉଛି, ଯାହା ସମାଜିକ ଜୀବନ ଯାତ୍ରାକୁ ପଥଭ୍ରଷ୍ଟ କରିବା ସହ ସମାଜରେ ଅରାଜକତା ସୃଷ୍ଟି କରୁଛି । ଦଳୀୟ ନେତା ମନ୍ତ୍ରୀ ଓ ସେମାନଙ୍କ ଚେଲା ଚାମୁଣ୍ଡାଙ୍କ ପରି ଏହି ଚାଟୁକାର  ସାମ୍ବାଦିକମାନଙ୍କ ଦୌରାତ୍ମ୍ୟକୁ ନେଇ ବୁଦ୍ଧିଜୀବୀ ଚିନ୍ତାରେ ।