ସୁବର୍ଣପୁର/ ଓ଼ମ ପ୍ରକାଶ ମିଶ୍ର: ସୋନପୁର ବିଧାନସଭା ଆସନ ସର୍ବପ୍ରଥମେ ଆଗତୁରା ନବନିର୍ମାଣ କୃଷକ ସଂଗଠନ ସୋନାଲି ବିଶିଙ୍କ ନାମ ଘୋଷଣା କରିଥିଲା । କିଛିଦିନ ପରେ ବିଜେଡି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନାମ ଘୋଷଣା କଲା ପରେ ଭାଜପା ପକ୍ଷରୁ ପ୍ରାକ୍ତନ ନଗରପାଳ ତଥା ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ପରେ କଂଗ୍ରେସ ପ୍ରିୟବ୍ରତ ସାହୁଙ୍କୁ ନିର୍ବାଚନ ମୈଦାନକୁ ଛାଡ଼ିଛି। ଫଳରେରେ ଏହି ଆସନରେ ଅଭିଜ୍ଞ ବନାମ ନୂଆମୁହଁ ମଧ୍ୟରେ ପ୍ରତିଦ୍ଵନ୍ଦିତା ହେବା ନେଇ ଏକ ରକମ ସ୍ପଷ୍ଟ ହୋଇଯାଇଛି। ଏହି ଚାରି ପ୍ରାର୍ଥୀଙ୍କ ମଧ୍ୟରୁ ଉଭୟ ପୂଜାରୀ ଓ ମହାପାତ୍ରଙ୍କ ପୂର୍ବରୁ ନିର୍ବାଚନ ଲଢ଼ିବା ନେଇ ଅଭିଜ୍ଞତା ରହିଥିବା ବେଳେ ଉଭୟ ସୋନାଲି ଓ ପ୍ରିୟବ୍ରତ ପ୍ରଥମ କରି ନିର୍ବାଚିତ ରଣାଙ୍ଗନରେ ଅବତୀର୍ଥ ହୋଇଛନ୍ତି । ପୂର୍ବରୁ ପୂଜାରୀ ବିନିକାରୁ ୨୦୦୦ ଓ ୨୦୦୪ରେ ବିଜେଡି- ଭାଜପା ମେଣ୍ଟ ଏବଂ ସୋନପୁର ପାଇଁ ୨୦୧୯ରେ ବିଜେଡି ଟିକେଟରୁ କ୍ରମାଗତ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି ଚଳିତ ଥରକୁ ମିଶାଇ କ୍ରମାଗତ ଷଷ୍ଠ ଥର ଦଳୀୟ ପ୍ରାର୍ଥୀ କରିଛି । ବିଧାନସଭାର ବାଚସ୍ପତିଠାରୁ ଆରମ୍ଭ କରି ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଏକାଧିକ ବିଭାଗରେ ସେ ମନ୍ତ୍ରୀ ରହି ଆସିଛନ୍ତି ଓ ଅଞ୍ଚଳରେ କରିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ହିସାବ ନେଇ ନବୀନଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ସକାଶେ ଭୋଟରଙ୍କ ନିକଟକୁ ଯିବେ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଥିବା ବେଳେ ଅପରପକ୍ଷରେ ଶ୍ରୀ ମହାପାତ୍ର ୨୦୧୪ରେ ନିର୍ବାଚନ ଲଢ଼ିଥିଲେ ହେଁ ବିଜେଡିର ନିରଞ୍ଜନ ପୂଜାରୀଙ୍କ ନିକଟରୁ ପରାସ୍ତ ହୋଇଥିଲେ। ପୂର୍ବରୁ ଥରେ ନିର୍ବାଚନ ଲଢ଼ିଥିବାରୁ ଓ ଦଳର ସଂଗଠନ ସହିତ ୧୯୯୫ ମସିହାରୁ ଜଡିତ ଥିବାରୁ ନିର୍ବାଚନମଣ୍ଡଳୀରେ ତାଙ୍କର ସଂଗଠନ ଅଛି । ୧୯୯୩ରେ ସୁ ବର୍ଷ ପୁର ପୌର ପରିଷଦ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ସେ ପୌରାଧକ୍ଷ ହୋଇଥିଲେ। ଚୂଳିତ ନିର୍ବାଚନରେ ଭାଜପା ସୋନପୁରରେ ଖାତା ଖୋଲିବା ଲକ୍ଷ୍ୟରେ ରହିଛି। ଅଭିଜ୍ଞ ପ୍ରମୋଦ ଦଳୀୟ ସଂଗଠନ ଆଧାରରେ ମୋଦି ସରକାରଙ୍କ ବିକାଶମୂଳକ କାର୍ଯ୍ୟଳୁ ନେଇ ନିକଟକୁ ଯିବେ ବୋଲି କହିଛନ୍ତି । ଏହି ଦୁଇ ଅଭିଜ୍ଞ ନେତାଙ୍କୁ ଟକ୍କର ଦେବା ପାଇଁ ନବ ନିର୍ମାଣ କୃଷକ ସଂଗଠନ ପ୍ରଥମ ଥର ପାଇଁ ସୋନାଲିଙ୍କୁ ପ୍ରାର୍ଥୀ କରିଛି। ସେ ଚାଷୀସରକାର ଗଠନର ସ୍ଲୋଗାନ ସୋନପୁର ନିର୍ବାଚନ ମଣ୍ଡଳୀର ଗାଁରୁ ଗାଁକୁ ବୁଲି ତାଙ୍କ ସପକ୍ଷରେ ଭୋଟ ଦେବାପାଇଁ ନିବେଦନ କରୁଛନ୍ତି। ନିଜେ ଟ୍ରାକ୍ଟର ଚ଼ଳାଇ ସମର୍ଥକଙ୍କ ସହିତ ମିଶି ଭୋଟ ଭିକ୍ଷା କରିବା ସହ ମହିଳା ସଶକ୍ତିକରଣର ବାର୍ଭା ପ୍ରଚାର କରୁଛନ୍ତି। ଚାଷୀ ସମସ୍ୟାକୁ ଇସ୍ୟୁ କରି ସେ ନୂଆ ମୁହଁ ଭାବେ ଚର୍ଚ୍ଚାରେ ରହିଛନ୍ତି। ସେହିପରି କଂଗ୍ରେସ ଯୁବ ଚେହେରା ତଥା ନବାଗତ ପ୍ରିୟବ୍ରତ ସାହୁଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ସଂଗଠନ ସହିତ ସେ ଛାତ୍ର ସମୟରୁ ଜଡିତ ଅଛନ୍ତି । ଶ୍ରମିକ ସଂଗଠନ ଓ ଯୁବ କଂଗ୍ରେସ ଜିଲା ସଭାପତି ଭାବେ ସେ କାର୍ଯ୍ୟ ମଧ୍ୟ କରିଛନ୍ତି । ଏବେ ଜିଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଅଛନ୍ତି । ବିଜେଡି ଓ ଭାଜପା ସରକାରର ଜନବିରୋଧୀ ନୀତିକୁ ସେ ଭୋଟରଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁଥିବା ବେଳେ ପ୍ରାୟତଃ ସେ ବିଭିନ୍ନ ସାମାଜିକ ଅନୁଷ୍ଠାନର ସକ୍ରୀୟ ସଦସ୍ୟ ରହିଥୁବା ଯୋଗୁଁ ସମସ୍ତ ଯୁବ ଭୋଟରଙ୍କ ସେ ପହିଲି ପସନ୍ଦ ଥିବା ପ୍ରକାଶ କରିଛନ୍ତି। ସେହି ପରି କଂଗ୍ରେସ ସରକାର ସମୟରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତଥା ଶିଳ୍ପାୟନର ବିକାଶ ପ୍ରସଙ୍ଗକୁ ନେଇ ରାଜ୍ୟ ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି। ତେବେ କାହା ମୁଣ୍ଡରେ ହାତି କଳସ ଢାଳିବ ଓ ଭୋଟରଙ୍କ କିଏ ସଂପୂର୍ଣ ମନଜିଣି ଭୋଟକୁ ନିଜ ସପକ୍ଷରେ ନେଇପାରିବ l