୨୦୨୩-୨୪ର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ
ଆମ ଓଡିଶା ନବୀନ ଓଡିଶା ପାଇଁ ୧୩୦୨ କୋଟି, ଲକ୍ଷ୍ନୀ ଯୋଜନା ପାଇଁ ୫୫୬ କୋଟି, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ୧୧୦ କୋଟି
ଭୁବନେଶ୍ୱର : ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ | ୨୦୨୩-୨୪ର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ | ୨୮ ହଜାର ୨୦୦ କୋଟି ଟଙ୍କା ଅତିରିକ୍ତ ବଜେଟ ବିଧାନସଭାରେ ଉପସ୍ଥାପନ | ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କଲେ ଉପସ୍ଥାପନ | ବଜେଟ ଉପସ୍ଥାପନ ପରେ ସୋମବାର ଯାଏ ଗୃହକୁ ମୁଲତବି ରଖିଲେ ବାଚସ୍ପତି |
ଏହି ଅତିରିକ୍ତ ବଜେଟରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପାଇଁ ୪୦୮୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ବିପର୍ଯ୍ୟୟ ପ୍ରଶମନ ପାଇଁ ୪,୬୯୮ କୋଟି ଟଙ୍କା । ବିଦ୍ୟାଳୟ ଓ ଗଣଶିକ୍ଷା ପାଇଁ ୨, ୮୮୨କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୪,୦୬୭କୋଟି । ସ୍ବାସ୍ଥ୍ୟ ଓ ଭିତ୍ତିଭୂମି ବିକାଶ ପାଇଁ ୧,୩୨୭ କୋଟି ଟଙ୍କା ଅତିରିକ୍ତ ବଜେଟରେ ବ୍ୟୟ ବରାଦ ହୋଇଛି । ଅନୁସୂଚିତ ଜାତି ଓ ଜନଜାତି ବିକାଶ ପାଇଁ ୧,୩୫୫ କୋଟି । ମିଶନ ଶକ୍ତି ବାବଦକୁ ୭୮୩ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଗ୍ରାମ୍ୟ ଉନ୍ନୟନ ପାଇଁ ୮୯୭ କୋଟି ଟଙ୍କା ଅତିରିକ୍ତ ବଜେଟରୁ ଖର୍ଚ୍ଚ ହେବା ନେଇ ସ୍ଥିର ହୋଇଛି । ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ପାଇଁ ୨୧୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
ସେହିପରି ନୂଆ ଯୋଜନା ଆମ ଓଡିଶା ନବୀନ ଓଡିଶା ପାଇଁ ୧୩୦୨ କୋଟି, ଲକ୍ଷ୍ନୀ ଯୋଜନା ପାଇଁ ୫୫୬ କୋଟି, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ୧୧୦ କୋଟି, ସମ୍ବାଦିକ କଲ୍ୟାଣ ପାଣ୍ଠି ପାଇଁ ଅତିରିକ୍ତ ୧୦କୋଟି, ଓଡ଼ିଶା ମୋଟର ପରିବହନ ଡ୍ରାଇଭର କଲ୍ୟାଣ ପାଇଁ ୨୧ କୋଟି, ବ୍ଲକସ୍ତରରେ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ୧୪ କୋଟି , ପଞ୍ଚାୟତକୁ ଆଇଟି ସଂଯୋଗୀକରଣ ପାଇଁ ୨୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ସେହିପରି ଚଳିତ ଆର୍ଥିକ ବର୍ଷ ଅର୍ଥାତ ଅଗଷ୍ଟ ଯାଏ ନିଜସ୍ୱ ରାଜସ୍ୱ ସଂଗ୍ରହ ୪୧୨୩୧ କୋଟି ହୋଇଛି। ଏହା ପୂର୍ବ ବର୍ଷ ତୁଳନାରେ ୧୨.୯ ପ୍ରତିଶତ ଅଧିକ। ନିଜସ୍ୱ ଟିକସ ସଂଗ୍ରହ ୨୦୧୩୧ କୋଟି ହୋଇଛି। ଯାହା ପୂର୍ବ ବର୍ଷ ତୁଳନାରେ ୧୫.୫ ପ୍ରତିଶତ ଅଧିକ ଅଟେ। ଏଥି ସହିତ ନିଜସ୍ୱ ଅଣଟିକସ ରାଜସ୍ୱ ୨୧୧୦୦ କୋଟି ସଂଗ୍ରହ ହୋଇଛି। ଯାହା ପୂର୍ବ ବର୍ଷ ତୁଳନାରେ ୧୧.୫ ପ୍ରତିଶତ ଅଧିକ।
ଅନ୍ୟପଟେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇ କହିଛନ୍ତି ମହଲେଖାଗାରଙ୍କ ସୂଚନା ଅନୁସାରେ ଜୁଲାଇ ସୁଦ୍ଧା ରାଜ୍ୟର ଋଣ ଭାର ୮୮୨୮୭ କୋଟି ଅଟେ। ଯାହା ପୋଷଣୀୟ ଅଟେ। ସେହିପରି ରାଜ୍ୟର ମୁଣ୍ଡ ପିଛା ଋଣ ୧୯ ହଜାର ୧୭୧ ଟଙ୍କା ରହିଛି। ଯାହା ଅନ୍ୟ ରାଜ୍ୟ ତୁଳନାରେ ବହୁ କମ। ଏ ଯାଏ ରାଜ୍ୟ ସରକାର ଖୋଲା ବଜାରରୁ ଋଣ କରି ନାହାନ୍ତି ବୋଲି ମଧ୍ୟ ଅର୍ଥମନ୍ତ୍ରୀ କହିଛନ୍ତି।