ଉନ୍ନାଓ ଗଣବଳାକ୍ରାର: ବିଜେପି ବିଧାୟକଙ୍କ ବିରୋଧରେ ମାମଲା

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଉନ୍ନାଓ ଗଣବଳାତ୍କାର ମାମଲାରେ ଯୋଗୀ ସରକାର ଦୃଢ ପଦକ୍ଷେପ ନେବାକୁ ପୁଲିସକୁ ନିର୍ଦ୍ଦେଶ ଦେବା ପରେ ଏବେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ବିରୋଧରେ ପୁଲିସ ମାମଲା ଦାୟର କରିଛି । ଉନ୍ନାଓ ଗଣବଳାତ୍କାର ପୀଡ଼ିତାଙ୍କ ଦୁର୍ଘଟଣା ପରେ ପୁଲିସ ସେଙ୍ଗରଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଓ ଅପରାଧିକ ଷଡ଼ଯନ୍ତ୍ର ପରି ଅନେକ ଧାରା ଲଗାଇଛି ।
ରବିବାର କାର-ଟ୍ରକ ଧକ୍କା ହେବାରୁ ଏଥିରେ ପୀଡ଼ିତାଙ୍କ ମା ଏବଂ ଖୁଡ଼ୀଙ୍କ ମୃତ୍ୟୁ ଘଟିଥିବା ବେଳେ ପୀଡ଼ିତା ଓ ତାଙ୍କର ଓକିଲ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁହିଁଙ୍କ ଚିକିତ୍ସା ଚାଲିଛି। ବିରୋଧୀ ଏହା ଦୁର୍ଘଟଣା ନୁହଁ ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି। ପ୍ରବଳ ଚାପ ପଡ଼ିବା ପରେ ଏବେ ଏହି ମାମଲାରେ ବିଧାୟକ କୁଲଦୀପ ସିଂହ ସେଙ୍ଗର ଓ ତାଙ୍କର ୨୦-୨୫ ସହଯୋଗୀଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଓ ଅପରାଧିକ ଷଡ଼ଯନ୍ତ୍ର ପରି ଅନେକ ଧାରାରେ ମୋକଦ୍ଦମା ଦାୟର କରାଯାଇଛି।
କୁଲଦୀପ ସିଂହ ସେଙ୍ଗରଙ୍କ ବ୍ୟତୀତ ତାଙ୍କର ଭାଇ ମନୋଜ ସିଂହ ସେଙ୍ଗରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଏହା ପୂର୍ବରୁ ବଳାତ୍କାର ଓ ପୀଡ଼ିତାଙ୍କ ପିତାକୁ ମାଡ଼ ମାରିବା ମାମଲାରେ କୁଲଦୀପ ସେଙ୍ଗର ଓ ତାଙ୍କର ଛୋଟ ଭାଇ ଅତୁଲ ସିଂହ ସେଙ୍ଗରକୁ ଗିରଫ କରାଯାଇଥିଲା। ମନୋଜ ସିଂହ ସେଙ୍ଗର ଏହି ଘଟଣାରେ ସଂଶ୍ଳିଷ୍ଟ ନଥିବାରୁ ବାହାରେ ଥିଲା।