ମହାମାରୀ ଆଇନ ଉଲଙ୍ଘନ ଅଭିଯୋଗରେ ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ଏତଲା

0

(ନୂଆଦିଲ୍ଲୀ): କୃଷି ଆଇନ ବିରୋଧରେ ଦିଲ୍ଲୀ-ହରିଆଣା ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ବିରୋଧରେ ଏତଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଧାରଣାରତ ଚାଷୀମାନେ କରୋନା ପାଇଁ ଲାଗୁ ହୋଇଥିବା ସାମାଜିକ ଦୂରତା ନିୟମକୁ ମାନୁ ନଥିବା ପୋଲିସ କହିଛି । ଏହାସହ ମହାମାରୀ ଆଇନ ଉଲଙ୍ଘନ ଓ ଅନ୍ୟ ଧାରା ଆଧାରରେ ଗତ ୭ ତାରିଖରେ ଦିଲ୍ଲୀ ପୋଲିସ ପକ୍ଷରୁ ଅଲିପୁର ଷ୍ଟେସନରେ ଚାଷୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୃଷି ଆଇନକୁ ବିରୋଧ କରୁଥିବା ପଞ୍ଜାବ ଓ ହରିଆଣାର ଶତାଧିକ ଚାଷୀ ଲାମପୁର ସୀମା ଦେଇ ଦିଲ୍ଲୀ ଉପକଣ୍ଠରେ ପହଞ୍ଚିଥିଲେ । ସେମାନେ ସିଙ୍ଘୁ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ସୂଚନାଯୋଗ୍ୟ, ଦିଲ୍ଲୀର ବିଭିନ୍ନ ସୀମାରେ ୧୬ ଦିନ ଧରି ଆନ୍ଦୋଳନ କରୁଥିବା ଚାଷୀମାନେ ନୂତନ କୃଷି ଆଇନ ପ୍ରତ୍ୟାହାର କରିବା ଜିଦରେ ଅଟଳ ଅଛନ୍ତି ।