ଚେନ୍ନାଇ: ତାମିଲନାଡୁର ଏକ ଘରୋଇ ହସ୍ପିଟାଲରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ଡିଣ୍ତିଗୁଲ ସ୍ଥିତ ଏକ ଘରୋଇ ଅର୍ଥୋପେଡିକ୍ ମେଡିକାଲରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ ଥିବା ନେଇ ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ ।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ତାମିଲନାଡୁର ଡିଣ୍ଡିଗୁଲର ଏକ ଘରୋଇ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ। ରିପୋର୍ଟ ଅନୁଯାୟୀ, ଡାକ୍ତରଖାନାରେ ଫସି ରହିଥିବା ପ୍ରାୟ ୧୦୦ ଲୋକଙ୍କୁ ଉଦ୍ଧାର କରିବା ପାଇଁ ତିନୋଟି ଅଗ୍ନିଶମ ବାହିନୀ ଗାଡି ନିୟୋଜିତ ହୋଇଥିଲା । ସେହିପରି ଲୋକଙ୍କୁ ସ୍ଥାନାନ୍ତର ପାଇଁ ୪୦ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା । ଅଗ୍ନିକାଣ୍ଡରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।