କାନପୁର: ପଞ୍ଚମ ଦିନରେ ପହଞ୍ଚିଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ । ଶେଷ ଦିନରେ ବିଜୟ ପାଇଁ ଲଢିବେ ଉଭୟ ଯିମ । ନ୍ୟୁଜିଲାଣ୍ଡ ସାମନାରେ ୨୮୦ ରନର ଏକ ଲକ୍ଷ୍ୟ ରହିଥିବା ବେଳେ ଭାରତକୁ ଦରକାର ୯ଟି ୱିକେଟ ।
ଚତୁର୍ଥ ଦିନର ଶେଷ ସମୟରେ ୨୩୪-୭ରେ ପାଳି ଘୋଷଣା କରି କିୱି ଦଳକୁ ଅଡୁଆରେ ପକାଇ ଦେଇଥିଲା ଭାରତ । ଫଳରେ ଦିନର ମାତ୍ର ୪ ଓଭର ଖେଳିବା ପାଇଁ ମଇଦାନକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ । ଏହାଦ୍ୱାରା ବ୍ୟାଟ୍ସମ୍ୟାନମାନଙ୍କ ଉପରେ ସାମାନ୍ୟ ଚାପ ପଡିଥିଲା । ଯାହାର ଫାଇଦା ମିଳିଥିଲା ଭାରତକୁ । ତୃତୀୟ ଓଭରରେ ହିଁ ନ୍ୟୁଜିଲାଣ୍ଡର ଓପନର ୱିଲ ୟଙ୍ଗଙ୍କୁ ଶିକାର କରିଥିଲେ ରବିଚନ୍ଦ୍ରନ ଅଶ୍ୱୀନ । ଏହାପରେ ଶେଷ ଦିନରେ ନ୍ୟୁଜିଲାଣ୍ଡ ଆଗରେ ରହିଛି ୨୮୦ ରନର ଲକ୍ଷ୍ୟ । ତେବେ ଅନ୍ୟତମ ଓପନର ଟମ ଲାଥମ ଏବଂ ୱିଲିୟମ ସମରଭିଲେ ଅପରାଜିତ ଅଛନ୍ତି । ତେବେ ପଞ୍ଚମ ଦିନର ପ୍ରଥମ ସେସନରେ ଖେଳ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି ।
ଚତୁର୍ଥ ଦିନର ପ୍ରଥମ ସେସନ ନ୍ୟୁଜିଲାଣ୍ଡ ପକ୍ଷରେ ଯାଇଥିବା ବେଳେ ପରେ ବାଜି ଓଲଟି ଯାଇଥିଲା । ଶ୍ରେୟସ ଆୟର, ରବିଚନ୍ଦ୍ରନ ଅଶ୍ଵିନ ଓ ଋଦ୍ଧିମାନ ଶାହା ଦମଦାର ବ୍ୟାଟିଂ କରି ଭାରତକୁ ସମ୍ମାନଜନକ ସ୍କୋରରେ ପର୍ୟ୍ୟନ୍ତ ପହଞ୍ଚାଇଥିଲେ । ପ୍ରଥମ ଇନିଂସରେ ଶତକ ଅର୍ଜନ କରିଥିବା ଶ୍ରେୟସ ଆୟର ଦ୍ଵିତୀୟ ଇନିଂସରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଏଥି ସହିତ କ୍ରମାଗତ ନିଜର ବ୍ୟାଟିଂକୁ ନେଇ ପ୍ରଶ୍ନ ଘେରରେ ରହି ଆସିଥିବା ଋଦ୍ଧିମାନ ଶାହା ମଧ୍ୟ ଦ୍ଵିତୀୟ ଇନିଂସରେ ୬୧ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି ।