ଡେଙ୍ଗୁ-ମ୍ୟାଲେରିଆକୁ ରୋକିବେ ମାଛ: ରାୟଗଡ଼ା ପ୍ରଶାସନ

0

ରାୟଗଡ଼ା: ମ୍ୟାଲେରିଆ ରୋକିବ ମାଛ । ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଡ୍ରେନରେ ଛଡ଼ାଯାଉଛି ହଜାର ହଜାର ସଂଖ୍ୟାରେ ଗମ୍ବୁସିଆ ମାଛ । ଏପରି ଅଭିନବ ପଦକ୍ଷେପ ରାୟଗଡ଼ା ପୌରସଂସ୍ଥା ପକ୍ଷରୁ ନିଆଯାଇଛି । ସହରର ବିଭିନ୍ନ ପାଣି ଜମୁଥିବା ସ୍ଥାନ ତଥା ଡ୍ରେନ ମାନଙ୍କରେ ଏହି ମାଛକୁ ଛଡ଼ା ଯାଉଛି । ଡ୍ରେନ ପାଣିରେ ବଢୁଥିବା ମଶା ତଥା ମଶାର ଲାର୍ଭାକୁ ଖାଇ ଏମାନଙ୍କ ବଂଶକୁ ସମ୍ପୂର୍ଣ୍ଣ ନିପାତ କରିବେ ଏହି ମାଛ । ଏହାସହ ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

ବର୍ଷା ଋତୁ ଆରମ୍ଭ ହୋଇଛି । ପାଣି ଜମୁଥିବା ସ୍ଥାନରେ ମଶା ବଂଶ ବୃଦ୍ଧି ପାଇ ଲୋକଙ୍କୁ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗ ହେବାର ସମ୍ଭାବନା ରହୁଛି । ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କାନ୍ଥ ବାଡ଼ରେ ଡିଡିଟି ସିଞ୍ଚନ କରାଯାଉଥିବା ବେଳେ ଡ୍ରେନରେ କେମିକାଲ ମଧ୍ୟ ଢଲାଯାଉଥିଲା । ତେବେ ଏହାର ପ୍ରତିକୁଳ ପ୍ରଭାବ ପରିବେଶ ଉପରେ ପଡ଼ୁଥିଲା । ଏବେ ପ୍ରଶାସନ ମଶାକୁ ରୋକିବା ପାଇଁ ଭିନ୍ନ ଉପାୟ ଆପଣେଇଛି । ମଶା ତଥା ମଶାର ଲାର୍ଭା ଖାଇବା ପାଇଁ ଡ୍ରେନ ତଥା ପାଣି ଜମୁଥିବା ସ୍ଥାନରେ ରାୟଗଡ଼ା ପ୍ରଶାସନ ପକ୍ଷରୁ ମାଛ ଛଡ଼ାଯାଇଛି । ଯିଏ ମ୍ୟାଲେରିଆ ରୋଗକୁ ରୋକିବା ପାଇଁ ବହୁ ମାତ୍ରାରେ ସାହାଯ୍ୟ କରିବ ।

ଜାତୀୟ ସ୍ବାସ୍ଥ୍ୟ ମିଶନ ଜରିଆରେ ଗମ୍ବୁସିଆ ମାଛକୁ ଭୁବନେଶ୍ବରରୁ ଅଣାଯାଇ କୁଣ୍ଡରେ ରଖାଯାଇଛି । ଏମାନଙ୍କ ବଂଶ ବୃଦ୍ଧି କରିବା ପାଇଁ ଯତ୍ନ ନିଆଯାଉଛି । ଆକାରରେ ସାମାନ୍ୟ ବୃଦ୍ଧି ହେବାପରେ ଜମାଟ ବାନ୍ଧିଥିବା ନାଳ ତଥା ପରିତ୍ୟକ୍ତ ସ୍ଥାନ ମାନଙ୍କରେ ଛଡ଼ାଯାଉଛି । ପ୍ରାଥମିକ ସ୍ତରରେ ସହରର ଏପରି ୨୫ଟି ସ୍ଥାନ ଚିହ୍ନଟ କରାଯାଇଛି ଯେଉଁଠି ଏହି ମାଛ ମାନଙ୍କୁ ଛଡ଼ାଯିବ । ପ୍ରତ୍ୟେକ ୮ ଦିନ ବ୍ୟବଧାନରେ ଏହି ମାଛକୁ ଛଡ଼ାଯିବ । ଫଳରେ ଏମାନେ ମଶାକୁ ରୋକିବାରେ ବହୁ ମାତ୍ରାରେ ସହାୟକ ହେବେ ।