(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ହରିୟାଣାର ରୋହନାତ ଗାଁରେ ସ୍ବାଧୀନତାର ୭୦ ବର୍ଷ ପର୍ୟ୍ୟନ୍ତ ଜାତୀୟ ପତାକା ନ ଉଡିବା ଆଶ୍ଚର୍ୟ୍ୟର ଘଟଣା। ଇତିହାସ କହେ ଇଂରେଜମାନେ ଏଠାରେ ଜାଲିଆନାଓ୍ବାଲାବାଗ ଭଳି ନରସଂହାର କରିବା ସହ ୧୮୫୭ କ୍ରାନ୍ତିରେ ଯେଉଁମାନେ ଅଂଶ ଗ୍ରହଣ କରିଥିଲେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହାସହ ଗାଁରେ ତୋପ ଚଳାଇ ଅନେକଙ୍କୁ ମାରିଦେବା ସହ କେତେକଙ୍କୁ ରୋଲର ଚଢାଇ ଇଂରେଜମାନେ ମାରି ଦେଇଥିବା କୁହାଯାଏ। ଏମିତି ପରିସ୍ଥିତିରେ ଅନେକ ମହିଳା କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ମଧ୍ୟ ଇତିହାସରେ ବର୍ଣ୍ଣନା କରାଯାଇଛି। ଏମିତି ସବୁ ଘଟଣା ଇତିହାସ ପୃଷ୍ଠାରୁ ତଥା ବୟସ୍କ ବ୍ୟକ୍ତିଙ୍କଠାରୁ ଶୁଣିବା ପରେ ଆଜିବି ରୋହନାତ ଗାଁର ଲୋକେ ନିଜକୁ ଗୋଲାମ ବୋଲି ଭାବି ଗାଁରେ ଜାତୀୟ ପତାକା ଉଡାଉ ନ ଥିଲେ। ଏବେ ସରକାରଙ୍କର ବିଭିନ୍ନ ଯୋଜନା ମାଧ୍ୟମରେ ଗାଁର ଉନ୍ନତୀକରଣ କରାଯାଇଥିବା ବେଳେ ଗାଁ ଲୋକେ ଧୀରେ ଧୀରେ ପରିବର୍ତ୍ତନ ହେଉଥିବା ଲକ୍ଷ୍ୟ କରାଯାଉଛି। କାରଣ ୨୦୧୮ ସାଧାରଣତନ୍ତ୍ର ଦିବସରେ ସେଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା କେତେଜଣ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ତେଣୁ ଚଳିତ ବର୍ଷ ସ୍ବାଧୀନତା ଦିବସରେ ଏଠାରେ ଜାତୀୟ ପତାକା ଉତ୍ତୋଳନ କରାଯିବ ବୋଲି ଆଶା କରାଯାଉଛି।