(ମମତା ସମାଲ)ରିପୋର୍ଟସଟୁଡେ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଦକ୍ଷିଣ ଓଡିଶାରେ ପ୍ରବଳ ମାତ୍ରାରେ ବର୍ଷା ଜାରି ରହିଛି । ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଟ୍ରେନ ଲାଇନ ଉପରେ ମଧ୍ୟ ପାଣି ଜମି ରହିଛି । ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ରାୟଗଡା-ଟିଟିଲାଗଡ ଟ୍ରାକରେ ବନ୍ୟାପାଣି ପାଣି ଜମିଛି । ସମ୍ବଲପୁର-କୋରାପୁଟ-ସମ୍ବଲପୁର ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି । ଏତତ୍ ବ୍ୟତୀତ ସମ୍ବଲପୁର-ଜୁନାଗଡ ରୋଡ ପାସେଞ୍ଜର ଟ୍ରେନ ମଧ୍ୟ ବାତିଲ ହୋଇଛି । ସେହିପରି ରାୟଗଡା-ବିଶାଖାପାଟଣା, ରାୟଗଡା-ସମ୍ବଲପୁର-ରାୟଗଡା ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି ।
ତେବେ କୌଣସୀ ଯାତ୍ରୀ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାକୁ ନଜରରେ ରଖି ରେଳବାଇ ତିନୋଟି ହେଲ୍ପଲାଇନ ନମ୍ବର ଜାରି କରିଛି । ସମ୍ବଲପୁର ପାଇଁ ହେଲ୍ପଲାଇନ ନମ୍ବର ୯୪୩୭୩୮୬୭୫୯ ହୋଇଥିବା ବେଳେ ଟିଟିଲାଗଡ ପାଇଁ ୮୪୫୫୮୯୨୮୩୧ ଓ ୯୪୩୭୩୮୬୬୯୩ ନମ୍ବର ଜାରି କରାଯାଇଛି ।