ଗୌହାଟି: ଆସାମରେ ପୁଣି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଅତ୍ୟଧିକ ବର୍ଷାଯୋଗୁଁ ଆସାମ ଗୈାହାଟି ସହ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ।କିଛି ସ୍ଥାନରେ ଭୂସ୍ଖଳନ ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଢେମାଜି, ଦିବ୍ରୁଗଡ, ନାଲବରି, ଦକ୍ଷିଣ ସାଲମାର ଭଳି ୭ ଟି ଜିଲ୍ଲାର ପ୍ରାୟ ୮ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ପାହାଡ଼ ତଳି ଅଞ୍ଚଳରେ ରାସ୍ତା ଧୋଇ ହୋଇ ଯିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି।କିଛି କିଛି ସ୍ଥାନରେ ରାସ୍ତା ଉପରେ ପାଣି ଚାଲିଥିବାରୁ ଗାଡି ଫସି ରହିଥିବା ଦେଖିବାକୁ ମିଳିଛି । ଆଉ କିଛି କିଛି ସ୍ଥାନରେ ରାସ୍ତାରେ ୩ ଫୁଟ ଉଚ୍ଚରେ ପାଣି ଚାଲିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ବୋରାଗା ନିକଟରେ ଅନେକ ଘର ବ୍ରହ୍ମପୁତ୍ର ନଦୀରେ ଧୋଇ ହୋଇଯାଇଛି । ନଦୀର ଜଳସ୍ତର ବଢ଼ୁଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ସେହିପରି ଗତ କିଛି ଦିନ ତଳେ ମେଘାଳୟରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଥିଲା । ଗତ ମାସରେ ଆସାମରେ ବଡଧରଣର ବନ୍ୟା ଆସିବା ସହ ରାଜ୍ୟକୁ ବିଶେଷ କ୍ଷୟକ୍ଷତି ସହ୍ୟକରିବାକୁ ପଡିଥିଲା । କିଛି ଦିନ ନପୁରୁଣୁ ପୁଣି ବନ୍ୟା ବଡ ସମସ୍ୟାଭାବେ ଛିଡା ହୋଇଛି ।