ନ୍ୟାୟ ଭିକ୍ଷାରେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ

0

ଭୁବନେଶ୍ଵର: ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ଯାଶ୍ରୀ। ମୃତ୍ଯୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ଯମ କରିଥିବା ଛାତ୍ରୀ ସୌମ୍ଯାଶ୍ରୀ ବିଶି। ସେ ଚିକିତ୍ସିତ ହେଉଥିବା AIIMS ତରଫରୁ ଏ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି। ମେଡିକାଲ ବୁଲେଟିନ୍ ଅନୁଯାୟୀ, ସୌମ୍ଯାଶ୍ରୀଙ୍କୁ ଗତ ୧୨ ତାରିଖ ଅପରାହ୍ଣ ୫ଟା ୧୫ରେ ଜ୍ଯୋତିରେଖା ଭୂୟାଁ ନାମ୍ନୀ ତାଙ୍କର ଜଣେ ବାନ୍ଧବୀ ମେଡିକାଲରେ ଆଣି ଭର୍ତ୍ତି କରିଥିଲେ। ସୌମ୍ଯାଶ୍ରୀଙ୍କୁ ବାଲେଶ୍ବର ଜିଲ୍ଲା ହସପିଟାଲରୁ ଏମ୍ସକୁ ରେଫର୍ କରାଯାଇଥିଲା।

ବାଲେଶ୍ୱର ଏଫଏମ୍ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଥିଲେ । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଥିବା ବେଳେ ଛାତ୍ରୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଥିଲା । ଏହାସହ ଆଗାମୀ ୨୪ ଘଣ୍ଟା ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ । କିନ୍ତୁ ଅନେକ ପ୍ରଚେଷ୍ଟା ଫଳରେ ବି ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ । ତେବେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ତରବରିଆ ଭାବରେ ତାଙ୍କର ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲା ଏମ୍ସ । ଶେଷକୃତ୍ୟ ପାଇଁ ଏମ୍ସ ପରିସର ସୌମ୍ୟାଶ୍ରୀଙ୍କ ମୃତଦେହକୁ ଜନ୍ମସ୍ଥାନ ଭୋଗରାଇକୁ ନିଆଯାଇଛି । ଭୋଗରାଇ ପଳାସିଆରେ ହେବ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ।

ଅନ୍ୟପଟେ ଏ ଘଟଣାରେ ପୂର୍ବରୁ ଏଜୁକେଶନ ବିଭାଗର ଏଚଓଡି ସମୀର ସାହୁଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷଙ୍କୁ ନିଲମ୍ବନ କରାଯାଇଥିଲା । କିନ୍ତୁ ଗତକାଲି ଦିଲ୍ଲୀପ ଘୋଷଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଆତ୍ମହତ୍ୟା ଉଦ୍ୟମ କରିବା ଆଗରୁ ସମ୍ପୃକ୍ତ ଛାତ୍ରୀ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ କଲେଜ ଅଧ୍ୟକ୍ଷ ସମ୍ପୃକ୍ତ ଛାତ୍ରୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ । ଆଉ ଅଧ୍ୟକ୍ଷ ରୁମରୁ ବାହାରି ନିଜ ଦେହରେ ନିଆଁ ଲଗାଇଦେଇଥିଲେ ସମ୍ପୃକ୍ତ ଛାତ୍ରୀ ।