ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସଜେଇ ହୋଇଛି ତାଙ୍କ ଗାଁ ପାହାଡ଼ପୁର । ସ୍ୱାଗତ ପାଇଁ ଶେଷ ପର୍ୟ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ମାଟି ରାସ୍ତାକୁ ପିଚୁ କରାଯାଇଛି, ବଦଳିଯାଇଛି ଗାଁର ରୂପରେଖ । ଗାଁ ଦାଣ୍ଡ କାନ୍ଥକୁ ରଙ୍ଗ କରାଯାଇ ଅଙ୍କା ଯାଇଛି ସୁନ୍ଦର ସୁନ୍ଦର ଚିତା । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମିନିଟ୍ ଟୁ ମିନିଟ୍ କାର୍ୟ୍ୟସୂଚୀ ଜାରି କରାଯାଇଛି । ଆସନ୍ତାକାଲି ଦିନ ୧୦ଟା ୪୦ରେ ନିଜ ଗାଁ ମୟୂରଭଞ୍ଜର ପାହାଡପୁରରେ ପହଞ୍ଚିବେ । ଏହା ପରେ ସ୍ୱାମୀ ସର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ସେଠାରୁ ଗୋଷାଣୀ ନୂଆଗାଁ ଗସ୍ତରେ ଯିବେ ରାଷ୍ଟ୍ରପତି ।ସେଠାରେ ନାବାର୍ଡ ଦ୍ୱାରା ତିଆରି ହେଉଥିବା ଏସ୍ଏଲ୍ଏସ୍ ଟ୍ରଷ୍ଟ ସ୍କୁଲ କମ୍ୟୁନିଟି ସେଂଟରର ଲୋକାର୍ପଣ କରିବେ । ଏହା ସହ ଏଲ୍ ଆଣ୍ଡ ଟି ଦ୍ୱାରା ନିର୍ମାଣ ହେଉଥିବା ସ୍କିଲ ହବର ମଧ୍ୟ ଲୋକାର୍ପଣ କରିବାର କାର୍ୟ୍ୟକ୍ରମ ରହିଛି । ସ୍କୁଲ ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ଭାବ ବିନିମୟ କରିବେ ରାଷ୍ଟ୍ରପତି । ଅପରାହ୍ଣ ୧୨ଟା ୩୦ରେ ପାହାଡପୁରରୁ ବାହାରି ୧୨ଟା ୪୫ରେ ହାଟବଦ୍ରା ସ୍ଥିତ ବ୍ରହ୍ମକୁମାରୀ କେନ୍ଦ୍ରରେ ପହଞ୍ଚିବେ । ସେଠାରେ ନିଶାମୁକ୍ତି ଓଡ଼ିଶା କ୍ୟାମ୍ପେନର ଶୁଭାରମ୍ଭ କରିବେ । ମହାମହିମ ରାଷ୍ଟ୍ରପତିଙ୍କ ଶିମିଳିପାଳ ଗସ୍ତ କାର୍ୟ୍ୟକ୍ରମ ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୨ଦିନ ପାଇଁ ଶିମିଳିପାଳ ପର୍ୟ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି ।