ପୁରୀ : ଆଜି ଶ୍ରାବଣ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି। ଆଜିର ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନିତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ବଢିବା ପରେ ଦତ୍ତମହାପାତ୍ର ସେବକ ମାନେ ଗର୍ଭଗୃହକୁ ପ୍ରବେଶ କରି ରତ୍ନବେଦୀରେ ବିରାଜିତ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ସୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, ଶଂଖ,କସ୍ତୁରୀ, କର୍ପୂର କଳା ଆଦି ପାରମ୍ପରିକ ସାମଗ୍ରୀରେ ପ୍ରସ୍ତୁତ ରଙ୍ଗରେ ମହାପ୍ରଭୁଙ୍କର ବନକଲାଗି ନିତି କରିବେ।
ଯେହେତୁ ମହାପ୍ରଭୁଙ୍କର ଏହା ଗୁପ୍ତ ନିତି ହୋଇଥିବାରୁ ଭକ୍ତମାନେ ଏହି ନିତି ଦର୍ଶନରୁ ବଞ୍ଚିତ ହେବେ। ଚାରିଘଣ୍ଟା କାଳ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଏଥିଲାଗି ନିର୍ଦ୍ଧାରିତ ସମୟ ଅପରାହ୍ନ ୬ଟା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଆଜି ମହାପ୍ରଭୁଙ୍କ ବନକଲାଗି ଥିବାରୁ ଆଜି ଏକ ପବିତ୍ର ଦିନ। ଆଜିର ଦିନରେ ଚନ୍ଦ୍ରାୟନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି।
ସଂନ୍ଧ୍ଯା ୬ଟା ୪ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଆଶା କରାଯାଉଛି। ଏହାର ଚନ୍ଦ୍ରାୟନ୩ର ସଫଳ ଅବତରଣ ପାଇଁ ସେବାୟତ ମାନଙ୍କ ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି।