ବଲାଙ୍ଗୀର: ନକଲି ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ଶିକ୍ଷକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ । ୪ ନକଲି ଶିକ୍ଷକଙ୍କୁ ବିଦା କରିଛି ବଲାଙ୍ଗୀର ଜିଲ୍ଲା ଶିକ୍ଷାଧିକାରୀ । ଚାକିରୀରୁ ବହିଷ୍କାର ହେଲେ ଚାରି ହାଇସ୍କୁଲ ଶିକ୍ଷକ । ସେମାନେ ହେଉଛନ୍ତି ସଞ୍ଜିତ ପାଣି ମହାନନ୍ଦ, ମୃଣ୍ମୟୀ ପଣ୍ଡା, ବିରଞ୍ଚି ପ୍ରସାଦ ନାୟକ ଓ ଅଲମା ଟପୋ । ସମସ୍ତେ ନକଲି ସାର୍ଟିଫିକେଟ ଦେଇ ସରକାରୀ ଚାକିରି ହାତେଇଥିଲେ ।
ସୂଚନା ଅନୁସାରେ ଗତ ୧୦ ତାରିଖ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ କରିଥିଲା ପୋଲିସ । ୨୦୧୩ ମୃଣ୍ମୟୀ ଜାଲ ସାର୍ଟିଫିକେଟ ଦେଇ ଚାକିରି କଣିଥିବାର ଅଭୀଯୋଗ ହୋଇଥିଲା । ମୃଣ୍ମୟୀ ଦେଇଥିବା ସାର୍ଟିଫିକେଟ ଅନୁସାରେ ଗୋଟିଏ ବର୍ଷରେ ସେ ଯୁକ୍ତ ଦୁଇ ଓ ହିନ୍ଦୀ ଟିଚର୍ସ ଟ୍ରେନିଂ ପାସ କରିଥିଲେ । ତାଙ୍କ ସହିତ ଅନ୍ୟ ୩ ଜଣ ଶିକ୍ଷକ ନକଲି ସାର୍ଟିଫିକେଟରେ ଚାକିରି କରିଥିବାନେଇ ଜଣାପଡ଼ିଥିଲା । ଏନେଇ ଟାଉନଥାନାରେ ଅଭିଯୋଗ କରିଥିଲେ ଜିଲ୍ଲା ଶିକ୍ଷାଧିକାରୀ । ଅନ୍ୟ ତିନି ନକଲି ଶିକ୍ଷକ ଏବେ ବି ଫେରାର ଥିବା ସୂଚନା ମିଳିଛି । ସେମାନଙ୍କ ନାଁରେ ମଧ୍ୟ ପୋଲିସ ମାମଲା ରୁଜୁ କରିଛି । ସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ପାଇଁ ବ୍ୟାଙ୍କକୁ ଚିଠି ଲେଖିଥିଲା ବଲାଙ୍ଗୀର ପୋଲିସ ।