ମାଲକାନଗିରି/ ସୂର୍ୟ୍ୟକାନ୍ତ ବେହେରା- ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ କୁନିକୁନି ପିଲାଙ୍କୁ ମାଗଣାରେ ପାଠ ପଢାଇ ଏବେ ଚର୍ଚ୍ଚାରେ ଯମୁନା। ଏହି ଅଞ୍ଚଳରେ ପୂର୍ବରୁ ବିକାଶ ପହଞ୍ଚିପାରୁନଥିବାରୁ ଏଠାକାର ପିଲାମାନେ ଶିକ୍ଷା କହିଲେ କଣ ବୁଝୁନଥିଲେ। ଯେଉଁ କିଛି ଭଲ ପଢୁଥିବା ଛାତ୍ର ଛାତ୍ରୀ ସେହି ଅଞ୍ଚଳରୁ ବାହାରକୁ ବାହାରି ପାଠ ପଢିଲେ ବର୍ତ୍ତମାନ ସେହି ଝିଅମାନେ ସ୍ୱାଭିମାନ ଅଞ୍ଚଳରେ ଶିକ୍ଷାର ବାର୍ତ୍ତା ଦେଉଥିବା ଦେଖିବାକୁ ମିଳିଛି। ସ୍ୱାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତର ବେଜିଂ ଗ୍ରାମର ଯମୁନା ଖିଲ ନାମକ ଜଣେ ଛାତ୍ରୀ ବର୍ତ୍ତମାନ ନିଜ ଅଞ୍ଚଳର ପିଲାଙ୍କୁ ମାଗଣାରେ ପ୍ରାଥମିକ ଶିକ୍ଷା ଦେଉଥିବା ଦେଖିବାକୁ ମିଳିଛି। କରୋନା ହେତୁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥରୁ ଗ୍ରାମର ପିଲାମାନଙ୍କୁ ଏକାଠି କରି ସେ ସକାଳ ଏବଂ ସନ୍ଧ୍ୟା ସମୟରେ ୨ ଘଣ୍ଟା ଲେଖାଏଁ ବିନା ମୂଲ୍ୟରେ ଶିକ୍ଷାଦାନ କରୁଛନ୍ତି।ଯମୁନା ଯୁକ୍ତ-୨ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ ପାସ କରିବା ପରେ କରୋନା ହେତୁ କୁଆଡେ ପାଠ ପଢିବାକୁ ଯାଇ ପାରିଲେ ନାହିଁ । ତେଣୁ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଯମୁନାର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନାହିଁ ସତ କିନ୍ତୁ ସେହି ଅଞ୍ଚଳର ବିକାଶ କରିବା ତାଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଯମୁନାର ଏପରି ମହାନ କାର୍ୟ୍ୟହେତୁ ସେ ଗ୍ରାମବାସୀ ତଥା ସ୍ୱାଭିମାନ ଅଞ୍ଚଳର ପ୍ରଶଂସାରପାତ୍ର ପାଲଟିଛନ୍ତି। ଯମୁନାର ଆର୍ଥିକ ପରିସ୍ଥିତି ସୁଦୃଢ଼ ନଥିବା ହେତୁ ସେ ଉଚ୍ଚଶିକ୍ଷାରୁ ବଞ୍ଚିତ ରହୁଥିବା ଜଣାପଡ଼ିଛି। ଯଦି ସରକାର ହେଉ କିମ୍ବା ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯମୁନାକୁ ସାହାଯ୍ୟ କରନ୍ତେ ତାହେଲେ ସେ ଆଗାମୀ ଦିନରେ ପାଠ ପଢିବା ସହ ସ୍ୱାଭିମାନ ଅଞ୍ଚଳର ବିକାଶ କରିପାରନ୍ତେ ବୋଲି ଗ୍ରାମବାସୀ ମତ ଦେଇଛନ୍ତି।