(ଶୁଭସ୍ମିତା ଦାଶ): ୧୨ ବର୍ଷ ବୟସରେ ଇଂରେଜ ଗୋରା ସାଇବଙ୍କୁ ଡଙ୍ଗା ପାର୍ ନ କରାଇ ତାଙ୍କରି ଗୁଳି ମାଡ଼ରେ ସହୀଦ୍ ହୋଇଥିଲେ ସେ। ଇଂରେଜଙ୍କ ନାଲି ଆଖିକୁ ଖାତିର କରିନଥିଲେ । ବାପା ମାଙ୍କର ଇଚ୍ଛା ଥିଲା ପୁଅ ବଡ଼ ହୋଇ ତାଙ୍କର ନାଁ ରହିବ । ହେଲେ ୧୨ ବର୍ଷ ବୟସରେ ଦେଶ ପାଇଁ ନିଜ ଜୀବନକୁ ବାଜି ଲାଗାଇ ଦେଲା । ଇତିହାସର ପୃଷ୍ଠାରେ ନିଜର ନାଁ କୁ ଲିପିବଦ୍ଧ କରାଇଲା । ହଁ ଆମେ କହୁଛୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କ କଥା । ସମସ୍ତେ ତାଙ୍କୁ ବାଜି ବୋଲି ଡ଼ାକନ୍ତି । ଶେଷରେ ସେ ନିଜ ନାଁକୁ ସାର୍ଥକ କରିକାବୁ ପଛେଇ ନଥିଲେ । ୧୯୨୬ ମସିହା ଠିକ୍ ଆଜିର ଦିନରେ ଢେଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ବାଜି ରାଉତ ବାପାଙ୍କ ନାମ ଥିଲା ହରି ରାଉତ। ପିଲାଟି ବେଳୁ ସେ ବାପାଙ୍କୁ ହରାଇ ମା’ଙ୍କ ଦ୍ୱାରା ପ୍ରତିପାଳିତ ହେଉଥିଲେ। ହେତୁ ପାଇଲା ପରେ ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓ ଗରିବମାନଙ୍କ ଉପରେ କରୁଥିବା ଅତ୍ୟାଚାରକୁ ସେ ଅଙ୍ଗେ ନିଭେଇ ଥିଲେ। ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ଵେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ତାଙ୍କୁ ପ୍ରଜାମଣ୍ଡଳର ସିପାହୀ କରାଯାଇଥିଲା। ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୁରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜମାନେ ଯେପରି ନଦୀ ପାର ନ ହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖିବ। ପ୍ରଜାମଣ୍ଡଳର ହୁକୁମ ରକ୍ଷା କରି ସେ ଇଂରେଜମାନଙ୍କୁ ଡଙ୍ଗାରେ ନଦୀ ପାରି କରିବାକୁ ମନା କରି ସେମାନଙ୍କ ହାତରେ ଜୀବନ ହରାଇଥିଲେ । ବାଜିରାଉତ ସମେତ ଏହି ଘଟଣାରେ ଅନ୍ୟ ୫ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।