ପୁଣି ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ

0

ପୁରୀ: ଆସୁଛି ଆଉ ଏକ ବଡ ବର୍ଷା  । ଆସନ୍ତା ୩୦ ତାରିଖ ବେଳକୁ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ମିଳିଛି  । ଆସନ୍ତା କାଲି ବଙ୍ଗୋପ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଉତ୍ତର ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । ବିଶେଷ କରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ  ।

ଆସନ୍ତା ୪ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  । ଆଜି ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।  ଏନେଇ ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  । ୩୦ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବର୍ଷାର ପରିମାଣ ବଢିବ  ।   ୩୦ ଓ ୧ ତାରିଖରେ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପଟେ ଆସନ୍ତା ୨ ଘଣ୍ଟା ପାଇଁ ଭୁବନେଶ୍ୱର ଏବଂ କଟକ ସହର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଖୋର୍ଦ୍ଧା (ଭୁବନେଶ୍ୱର ସମେତ), କଟକ, ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ଅନୁଗୁଳ, ବରଗଡ଼ ଏବଂ ସୁନ୍ଦରଗଡ଼କୁ ଅରେଞ୍ଜ ସତର୍କତା ଜାରି କରାଯାଇଛି । ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ଏବଂ ବଜ୍ରପାତ ହୋଇପାରେ। ବଜ୍ରପାତରୁ ସୁରକ୍ଷିତ ରହିବା ପାଇଁ ଲୋକଙ୍କୁ ପାଣିପାଗ ସ୍ଥିତି ଉପରେ ନଜର ରଖିବାକୁ ଏବଂ ସେହି ଅନୁସାରେ ସୁରକ୍ଷିତ ସ୍ଥାନକୁ ଯିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।