(ପ୍ରିୟଦର୍ଶନୀ ସ୍ୱାଇଁ): ବନ୍ଧୁ ଏକ ଶଦ୍ଦ ନୁହେଁ ଏହା ଦେଉଛି ଏକ ନିଆରା ଅନୁଭବ । ପ୍ରେମ,ବିଶ୍ୱାସ ଓ ଆବେଗକୁ ବାନ୍ଧି ରଖିପାରୁଥିବା ପ୍ରତୀକ ହେଉଛି ବନ୍ଧୁ । ଜୀବନର ଏକ ଗୁରୁତ୍ୱପୁର୍ଣ୍ଣ ସର୍ମ୍ପକକୁ ବଜାୟ ରଖିବା ପାଇଁ ପ୍ରତି ବର୍ଷ ଅଗଷ୍ଟମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡ଼େ ରୁପେ ପାଳନ କରାଯାଏ । ଏହି ଦିନଟିକୁ ସାଙ୍ଗମାନଙ୍କ ସହ ବେଶ ନିଆରରେ ପାଳନ କରିଥାନ୍ତି ଯୁବପିଢ଼ୀ । ସେମାନେ ପରସ୍ପରକୁ ଚକଲେଟ୍, ଗ୍ରୀଟିଙ୍ଗ୍ସ କାର୍ଡ ଓ ଉପହାର ଦେଇ ଦେବା ସହ ଫ୍ରେଣ୍ଡ୍ଶିପ୍ ବ୍ୟାଣ୍ଡ୍ ବାନ୍ଧି ବନ୍ଧୁତ୍ୱକୁ ଜାହିର କରନ୍ତି। ପୂର୍ବରୁ କେବଳ ବିଦେଶରେ ବନ୍ଧୁତ୍ୱ ଦିବସ ପାଳନ କରାଯାଉଥଲା। କିନ୍ତୁ ଏବେ ଏହା ଭାରତରେ ମଧ୍ୟ ଖୁବ୍ ଧୁମଧାମରେ ପାଳନ ହେଉଛି।
ୱାର୍ଲ୍ଡ ଫ୍ରେଣ୍ଡଶିପ୍ କ୍ରୁସେଡ୍’ ନାମକ ଏକ ଅନ୍ତର୍ଜାତୀୟ ସଂଗଠନ ପ୍ରଥମେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଦେଇଥିଲା। ଏହି ସଂଗଠନର ପ୍ରତିଷ୍ଠାତା ଥିଲେ ପାରାଗୁଏର ଡକ୍ଟର ରମନ୍ ଆର୍ଟେମିଓ ବ୍ରାଚୋ। ସେହିବର୍ଷ ଜୁଲାଇ ୨୦ ତାରିଖରେ ସେ ପାରାଗୁଏର ପ୍ୟୁର୍ଟୋ ପିନାସ୍କୋ ସହରରେ ତାଙ୍କ ସାଙ୍ଗମାନଙ୍କ ସହିତ ରାତ୍ରଭୋଜନ କରୁଥିବା ବେଳେ ‘ବିଶ୍ୱ ବନ୍ଧୁତ୍ୱ ଦିବସ’ ପାଳନର ପ୍ରସ୍ତାବ ଦେଇଥିଲେ। ସେହି ରାତିରେ ହିଁ ‘ୱାର୍ଲ୍ଡ ଫ୍ରେଣ୍ଡଶିପ୍ କ୍ରୁସେଡ୍’ ପ୍ରତିଷ୍ଠା ହୋଇଥିଲା ଓ ଜୁଲାଇ ୩୦ ତାରିଖରେ ସାରା ବିଶ୍ୱରେ ବନ୍ଧୁତ୍ୱ ଦିବସ ପାଳନ କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ହୋଇଥିଲା।
ଭାରତ ଭଳି ଆହୁରି ଅନେକ ଦେଶ ଅଛନ୍ତି, ଯେଉଁମାନେ ଜୁଲାଇ ୩୦ ତାରିଖରେ ବନ୍ଧୁତ୍ୱ ଦିବସ ପାଳନ କରନ୍ତି ନାହିଁ। ଆର୍ଜେଣ୍ଟିନାରେ ଜୁଲାଇ ୨୦ରେ ବନ୍ଧୁତ୍ୱ ଦିବସ ପାଳନ କରାଯାଉଥିବା ବେଳେ ବୋଲିଭିଆରେ ଜୁଲାଇ ୨୩, ବ୍ରାଜିଲ୍ରେ ଜୁଲାଇ ୨୦, କୋଲୋମ୍ବିଆରେ ମାର୍ଚ୍ଚ ମାସ ଦ୍ୱିତୀୟ ଶନିବାର, ୟୁକୋଡୋର୍ରେ ଜୁଲାଇ ୧୪, ମ୍ୟାଲେସିଆରେ ଅଗଷ୍ଟ ମାସର ପ୍ରଥମ ରବିବାର, ପାକିସ୍ତାନରେ ଜୁଲାଇ ୧୯, ସ୍ପେନ୍ରେ ଜୁଲାଇ ୨୦, ଉରୁଗୁଏରେ ଜୁଲାଇ ୨୦, ଆମେରିକାରେ ଫେବ୍ରୁଆରୀ ୧୫ ଓ ଭେନେଜୁଏଲାରେ ଜୁଲାଇ ୧୪ ତାରିଖକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ।