( ଆଦର୍ଶ ରାଉତ / ସରୋଜ ରାଉତ ) : ଉଠା ଦୋକାନୀଙ୍କ କବଜାରେ ଏକ ନମ୍ବର ମାର୍କେଟ ରାସ୍ତା । କ୍ୟାପିଟାଲ ଥାନାରୁ ଏଜି ଛକ ପଟକୁ ଗଲାବେଳେ ବିଭିନ୍ନ ଉଠା ଦୋକାନୀ ମାନେ ରୋଡ଼କୁ କବଜା କରି ନେଇଛନ୍ତି । ଯାହା ଫଲରେ ବିଭିନ୍ନ ସମୟରେ ଏଠାରେ ନାହିଁ ନ ଥିବା ଟ୍ରାଫିକ୍ ସମସ୍ୟା ଦେଖିବାକୁ ମିଳେ । ଫଳ ଦୋକାନୀଙ୍କ କବଜାରେ ଏହି ରାସ୍ତା ରହିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନି । ବିଏମସି ଓ କ୍ୟାପିଟାଲ ଥାନା ପୋଲିସ ଏହି ଫଳ ଦୋକାନୀଙ୍କୁ ବିଭିନ୍ନ ସମୟରେ ସକାଳୁ ଉଠାଉଥିଲେ ମଧ୍ୟ ସେମାନେ ପୁଣି ପୁର୍ନବାର ସଂନ୍ଧ୍ୟାରେ ଆସି ରୋଡ଼ କବଜା କରି ନିଜର ବେପାର ଚଲାନ୍ତି । ଗୋଟେ ପଟେ ଫଳ ଦୋକାନୀ ଓ ଅନ୍ୟ ପଟେ ମାର୍କେଟ ବିଲଡ଼ିଂ କୁ ଆସୁଥିବା ଲୋକଙ୍କର ଅବହିତ ପାର୍କିଂ ପାଇଁ ଏହି ସମସ୍ୟା ଦୀର୍ଘ ଦିନ ଧରି ମୁଣ୍ଡବ୍ୟାଥାର କାରଣ ପାଲଟିଛି । ଯେଉଁଥି ପାଇଁ ପୋଲିସ ଏବେ ଏକ ନୂଆ ପନ୍ଥା ଆପଣେଇଛି । ରାସ୍ତା ଉପରେ ବେପାର କରୁଥିବା ଫଳ ଦୋକାନୀ ମାନଙ୍କର ଦଣ୍ଡିପାଲ ତଥା ଓଜନ ମାପ ଯନ୍ତ୍ରକୁ ଉଠାଇ ନେଉଛି । ଯାହା ଫଳରେ ପୋଲିସ ଜୁଲମ୍ କରୁଛି ବୋଲି କିଛି ସ୍ଥାନୀୟ ବେପାରୀ ଅଭିଯୋଗ କରିଛନ୍ତି । ସବୁଠାରୁ ମଜାଦାର କଥା ହେଲା ଦଣ୍ଡିପାଲ ପୋଲିସ ନେଉଥିଲେ ମଧ୍ୟ କୌଣସି ବେପାରୀ ତାକୁ ଆଣିବା ପାଇଁ ଥାନାକୁ ଯାଆନ୍ତିନି । କାରଣ ଦଣ୍ଡିପାଲ ଆଣିବାକୁ ଗଲେ ପୋଲିସ ବାବୁ ମାନେ ସେମାନଙ୍କୁ ମୁଣ୍ଡିଆ ମରାନ୍ତି ଓ ଦଣ୍ଡିପାଲ ବାବଦରେ ଜରିମାନା ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରନ୍ତି ବୋଲି ଜଣେ ବେପାରୀ ରବି ପ୍ରଧାନ ସୂଚନା ଦେଇଛନ୍ତି । ଅନ୍ୟପଟେ ବେପାରୀ ମାନେ ଥାନାକୁ ଯାଇ ଜରିମାନା ଗଣିବା ଅପେକ୍ଷା ନୂଆ ଦଣ୍ଡିପାଲ କିଣିବା ପାଇଁ ଉପଯୁକ୍ତ ମନେ କରନ୍ତି ବୋଲି ଫଳ ଦୋକାନୀ ଅଭିରାମ କହିଛନ୍ତି ।