ବଟବୃକ୍ଷ ତଳେ ବଟଗଣେଶ, ମାଆ ବିମଳାଙ୍କ ନିକଟରେ ନୃତ୍ୟ ଗଣେଶ ଓ କାଞ୍ଚିଗଣେଶଙ୍କୁ ଗଣେଶ ଚତୁର୍ଥୀରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

0

ପୁରୀ : ପ୍ରତି ଶୁଭକାର୍ଯ୍ଯରେ ଶ୍ରୀଗଣେଶଙ୍କୁ ସର୍ବାଗ୍ରେ ପୂଜା କରାଯିବାର ବିଧି ରହିଛି। ଏମିତିକି ଶ୍ରୀମନ୍ଦିରରେ ଶ୍ରୀଗଣେଶଙ୍କୁ ବିବିଧ ରୂପରେ ଉପାସନା କରାଯାଏ। ବଟବୃକ୍ଷ ତଳେ ବଟଗଣେଶ, ମାଆ ବିମଳାଙ୍କ ନିକଟରେ ନୃତ୍ୟ ଗଣେଶ ଓ କାଞ୍ଚିରୁ ଆସିଥିବା କାଞ୍ଚିଗଣେଶଙ୍କୁ ଗଣେଶ ଚତୁର୍ଥୀରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ନୂତନବସ୍ତ୍ର ଲାଗି ,ପୁଷ୍ପାଞ୍ଜଳି ଓ ଭୋଗ ବନ୍ଦାପନା ହେବାର ପରମ୍ପରା ରହିଛି । ଏହି ଦିନ ଶ୍ରୀମନ୍ଦିରରେ ମାଦଳାପାଞ୍ଜି ଓ ଲେଖନୀ ପୂଜା ହୁଏ। ଏଣୁ ଶ୍ରୀକ୍ଷେତ୍ରରେ ମଧ୍ୟ ଶ୍ରୀଗଣେଷଙ୍କ ଆବିର୍ଭାବ ଦିବସକୁ ବେଶ୍ ଧୁମଧାମରେ ପାଳନ କରାଯାଉଛି।

କୋଭିଡ ଯୋଗୁଁ କିଛି ବର୍ଷ ମେଢ ଓ ସାଜସଜ୍ଜାକୁ ଟିକେ ସଂକୁଚିତ କରାଯାଇଥିଲା। ମାତ୍ର ଚଳିତବର୍ଷ ବଡଦାଣ୍ଡରେ  ମେଢ ସାଜସଜ୍ଜା ବେଶ୍ ଆଡମ୍ବର ପୂର୍ଣ୍ଣ କରାଯାଇଛି। କେଉଁଠି ଚନ୍ଦ୍ରାୟନ -3 ନିର୍ମାଣ ହୋଇଛି ତ ଆଉ କେଉଁଠି ଦେଖିବାକୁ ମିଳିଛି ଟାଇଟେନିକ୍ ମେଢ। ଅତି ଆକର୍ଷଣୀୟ ଭାବେ ସଜାଯାଇଛି। ଆଉ ବଡଦାଣ୍ଡ ରଙ୍ଗିନ ଆଲୋକମାଳାରେ ଝଲସୁଛି। ଶ୍ରୀମନ୍ଦିର ପରମ୍ପରା ଆଧାରରେ ଏଠାରେ ତିନିଦିନ ବ୍ଯାପି ଗଣେଶପୂଜା ପାଳିତ ହେବାର ପରମ୍ପରା ରହିଛି। ଶ୍ରୀଶ୍ରୀ ଦିନବନ୍ଧୁ ବିନାୟକ ସମିତି,ମୋତିଚାନ୍ଦ ବଜାର କମିଟି ଆଦି ବିଭିନ୍ନ ପୂଜା କମିଟି ପକ୍ଷରୁ ପର୍ଯ୍ଯଟକଙ୍କୁ ଆକର୍ଷିତ କରିବା ପାଇଁ ବିଶାଳ ତ୍ୱରଣ ସହ ସୁନ୍ଦର ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି। ଆଉ ଏହାକୁ ଦେଖିବା ଲାଗି ବଡଦାଣ୍ଡ ସହ  ସହରର ବିଭିନ୍ନ ଅଞ୍ଚଳରେ ଶ୍ରୀଗଣେଶଙ୍କୁ ଦର୍ଶନ କରିବାକୁ ପ୍ରବଳ ଗହଳି ଲାଗିଛି।