କ୍ରମାଗତ ଦୁଇଥର ଜିତିଥିବା ଗଣେଶରାମ ସିଂ ଖୁଣ୍ଟିଆଙ୍କୁ ମନ୍ତ୍ରୀ ପଦ ଦିଆଯିବାକୁ ଦାବି

0

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ଯଶିପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଗଣେଶ ରାମ ସିଂ ଖୁଣ୍ଟିଆ ତାଙ୍କରି ନିକଟତମ ପ୍ରାର୍ଥୀ ବିଜେଡ଼ିର ଚକ୍ରଧର ହେମ୍ବ୍ରମଙ୍କଠାରୁ 34,666 ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି l ଗଣେଶରାମ ସିଂ ଖୁଣ୍ଟିଆ(ବିଜେପି) 85,384 ଭୋଟ ପାଇଥିବା ବେଳେ ଚକ୍ରଧର ହେମ୍ବ୍ରମ(ବିଜେଡ଼ି) 50,717 ଖଣ୍ଡ ଭୋଟ ପାଇଛନ୍ତି l ଯଶିପୁର ନିର୍ବାଚନ ମଣ୍ଡଳୀର ଇତିହାସକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଏଠାକାର ପ୍ରଥମ ବିଧାୟକ ପ୍ରଥମେ କ୍ରମାଗତ ଦୁଇଥର 1957, 1961 ରେ ଜିତିଥିଲେ l ତାଙ୍କ ପରେ ଗଣେଶ ରାମ ସିଂ ଖୁଣ୍ଟିଆ ଲଗାତାର ଭାବେ 2019, 2024ରେ ଦୁଇଥର ଜିତିବାକୁ ସକ୍ଷମ ହୋଇଛନ୍ତି l   ନିଜର ବାଲ୍ୟାବସ୍ଥାରେ ଗଣେଶରାମ ପିତାମାତାଙ୍କୁ ହରାଇ ଅତି ଦୁଃଖକଷ୍ଟରେ ପାଠ ପଢିଥିଲେ l ତାଙ୍କରି ପୈତୃକ ଘର ଶିମିଳିପାଳର ବନାଞ୍ଚଳର ଆସ୍ତକୁଆଁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ଗ୍ରାମରେ l ରାଜନୀତିକୁ ଆସିବା ପୂର୍ବରୁ ସେ ପୂର୍ତ୍ତ ବିଭାଗରେ ଆସିଷ୍ଟାଣ୍ଡ ଇଞ୍ଜିନିଅର ରୂପେ କାର୍ଯ୍ୟରତ ଥିଲେ l ଶିମିଳିପାଳର ଦୁର୍ଗମ ଅଞ୍ଚଳରେ ଗମନାଗମନ ନିମନ୍ତେ ରାସ୍ତାଘାଟର ଉନ୍ନତିକରଣ, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ ଆଦି ଜନହିତକର କାର୍ଯ୍ୟକୁ ସଫଳ ରୂପାୟନ ନିମନ୍ତେ ନେଇଛନ୍ତି ଅନେକ ଯୁଗାନ୍ତକାରୀ ପଦକ୍ଷେପ l ଜଣେ ସାମାଜିକ, ସାଂସ୍କୃତିକ ଏବଂ ଆଦିବାସୀ ଭାଷା ପ୍ରେମୀ ରୂପେ ସମଗ୍ର ଅଞ୍ଚଳବାସୀଙ୍କ ନିକଟରେ ବେଶ ପରିଚିତ l ହୋ ଭାଷାକୁ ଦ୍ଵିତୀୟ ରାଜ ଭାଷାର ମାନ୍ୟତା, ଓଡ଼ିଶାରେ ଦ୍ଵିତୀୟ ରାଜ ଭାଷାର ମାନ୍ୟତା ପ୍ରସଙ୍ଗକୁ ସବୁବେଳେ ସମର୍ଥନ କରି ଆସିଛନ୍ତି l ପ୍ରାକୃତିକ ସୌଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ ସାଙ୍ଗକୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଭୟ ପୈତୃକ ଏବଂ ଶାଶୂଘର ଏହି ନିର୍ବାଚନ ମଣ୍ଡଳୀରେ ରହିଛି l ଆଉ ଦୁଇଦିନ ପରେ ଓଡିଶାରେ ବିଜେପିର ପ୍ରଥମ ସରକାର ଗଠନ ହେବାକୁ ଯାଉଛି, ଏଯାଏ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଯଶିପୁର ନିର୍ବାଚନ ମଣ୍ଡଳୀର ବିଧାୟକ ମାନେ ମନ୍ତ୍ରୀ ପଦ ପାଇ ନାହାଁନ୍ତି l ଜଣେ ସ୍ପଷ୍ଟବାଦୀ, ମିଷ୍ଟଭାଷୀ ରୂପେ ପରିଚିତ କ୍ରମାଗତ ଦୁଇଥର ବିଧାୟକ ହୋଇଥିବା ଗଣେଶରାମ ସିଂଖୁଣ୍ଟିଆଙ୍କୁ ବିଜେପି ସରକାରରେ ମନ୍ତ୍ରୀ ପଦ ଦିଆଯିବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି ।