(ରଜନୀକାନ୍ତ ପାତ୍ର/ଗଞ୍ଜାମ): କରୋନା ହଟସ୍ପଟ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣକୁ ଆସିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ତେଣୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ସ୍ୱରୁପ କରୋନା ପାଇଁ ଲାଗୁ ହୋଇଥିବା କଟକଣାକୁ ଆଶିଂକ କୋହଳ କରାଯାଇଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରକୁ ଗ୍ରାମାଞ୍ଚଳବାସୀଙ୍କ ଯାତାୟାତ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଉଠାଇ ଦିଆଯାଇଛି । ଏନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୁଚନା ଦିଆଯାଇଛି । ଏଥିସହ ଆଜିଠାରୁ ଜିଲ୍ଲାରେ ସକାଳ ୫ରୁ ରାତି ୮ ଟା ପର୍ୟ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସପ୍ତାହାନ୍ତ ସଟଡାଉନ ରହିବ। ସବୁ ଦୋକାନୀ ସାମାଜିକ ଦୂରତ୍ୱ ଓ ପଞ୍ଚସୂତ୍ରୀ କଟକଣା ମାନିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍ କରି ସୁଚନା ଦେଇଛନ୍ତି ।
ସେହିପରି ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଚାରିପଟୁ ଯେଉଁଭଳି ଭାବରେ ସିଲ୍ କରାଯାଇଥିଲା ତାହା ପୁର୍ବପରି ବଳବତ୍ତର ରହିବ । କେବଳ ଜିଲ୍ଳା ମଧ୍ୟରେ ଅନ୍ୟ ସ୍ଥାନକୁ ଲୋକେ ଯାଆସ କରିପାରିବେ ।