(ରିପୋର୍ଟରସ ଟୁଡେ/ଭୁବନେଶ୍ୱର): ରାଜ୍ୟର ସଫେଇ କର୍ମଚାରୀ ମାନଙ୍କ କଲ୍ୟାଣ ପାଇଁ ଆଜି ‘ଗରିମା’ ନାମରେ ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିପଦ ସଙ୍କୁଳ ଅବସ୍ଥାରେ ଥିବା ଡ୍ରେନ୍, ଟାଙ୍କି ଆଦି ସହ ସହରକୁ ସଫା ରଖୁଥିବା ସଫେଇ କର୍ମଚାରୀମାନେ ଏହି ନୁଆ ଯୋଜନା ଦ୍ୱାରା ଉପକୃତ ହେବେ । ଏଥିପାଇଁ ପ୍ରାଥମିକ ଅବସ୍ଥାରେ ୫୦ କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସଫେଇ କର୍ମଚାରୀଙ୍କ ପାଇଁ ରାଜ୍ୟ କମିଶନ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି । ରାଜ୍ୟ ନଗର ଉନ୍ନୟନ ଓ ଗୃହନିର୍ମାଣ ବିଭାଗ ଦ୍ବାରା ଏହି ଯୋଜନାକୁ କାର୍ୟ୍ୟକାରୀ କରାଯିବ । ଏହି ଯୋଜନାରେ ରାଜ୍ୟର ସମସ୍ତ ୧୧୪ଟି ପୌରସଂସ୍ଥା କାର୍ୟ୍ୟକାରୀ ହେବ । ଏଥିରେ ୨୦ ହଜାର ସଫେଇ କର୍ମଚାରୀଙ୍କ ସମେତ ସେମାନଙ୍କର ୧ ଲକ୍ଷ ପରିବାର ସଦସ୍ୟ ଲାଭ ପାଇବେ ।
ଶୁଭାରମ୍ଭ ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାରା ବିଶ୍ବ ବର୍ତ୍ତମାନ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି । ମହାତ୍ମା ସମଗ୍ର ଜୀବନ ସମାଜର ଏହି ଅବହେଳିତ ବର୍ଗର କଲ୍ୟାଣ, ଅଧିକାର ଓ ମର୍ୟ୍ୟାଦା ପାଇଁ ଲଢ଼େଇ କରୁଥିଲେ । ଗାନ୍ଧିଜୀ ସ୍ବାଧୀନତାଠାରୁ ପରିମଳକୁ ଅଧିକ ଗୁରୁତ୍ବ ଦେଉଥିଲେ । ତେଣୁ ବାପୁଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ‘ଗରିମା’ ଯୋଜନା ଦ୍ୱାରା ବାପୁଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବାପୁଙ୍କ ସ୍ବପ୍ନକୁ ସାକାର କରିବା ସହିତ ସଫେଇ କର୍ମଚାରୀଙ୍କୁ ସମାଜରେ ସେମାନଙ୍କ ଉଚିତ ସ୍ଥାନ ଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ଏବଂ ସେମାନେ ଯେପରି କରୋନା ମହାମାରୀ ସମୟରେ ଜୀବନକୁ ବିପଦ ରେ ପକାଈ ସେବା କରୁଛନ୍ତି ତାକୁ ପ୍ରଶଂସା କରିଥିଲେ ।
ଏହି ନୁତନ ‘ଗରିମା’ ଯୋଜନାରେ ବିପଦପୂର୍ଣ୍ଣ ପରିମଳ କାର୍ୟ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ଚିହ୍ନଟ କରାଯିବ । ସେମାନଙ୍କର କଠିନ ଓ ବିପଦପୂର୍ଣ୍ଣ କାମକୁ ସମ୍ମାନ ଜଣାଇ ସ୍ବତନ୍ତ୍ର ଭତ୍ତା, ସ୍ବାସ୍ଥ୍ୟ ସୁବିଧା, ଜୀବନ ବୀମା, ପିଲାଙ୍କ ପାଇଁ ଉଚ୍ଚଶିକ୍ଷା, ଗୃହନିର୍ମାଣ ଓ ଦୁଇ ଚକିଆ ଗାଡି ପାଇଁ ୯୦ ପ୍ରତିଶତ ଅନୁଦାନ, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ଅନୁକମ୍ପାମୂଳକ ସହାୟତା, ଇପିଏଫ୍, ଇଏସଆଇ ଏବଂ ପରିବାର ପେନ୍ସନ ଆଦି ବିଭିନ୍ନ କଲ୍ୟାଣ ଯୋଜନାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଗରିମା’ ଯୋଜନା ସଂପର୍କିତ ଏକ ଭିଡିଓ ଓ ଲୋଗୋ ଉନ୍ମୋଚନ କରିଥିଲେ ।