ମହିଳାଙ୍କ ଏନଡିଏ ପ୍ରତିବନ୍ଧକ ହଟିଲା

0

ନୂଆଦିଲ୍ଲୀ: ସେପ୍ଟେମ୍ୱର ୫ରେ ହେବାକୁ ଥିବା ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପରୀକ୍ଷାରେ ଝିଅମାନେ ଭାଗ ନେଇପାରିବେ । ଝିଅଙ୍କ ଏନଡିଏ ପରୀକ୍ଷା ଉପରେ ରହିବନାହିଁ ପ୍ରତିବନ୍ଧକ । ଝିଅଙ୍କ ଏନଡିଏ ପରୀକ୍ଷାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ସେନାରେ ଲିଙ୍ଗଗତ ବାଛବିଚାରକୁ ପ୍ରୋତ୍ସାହନା ଦିଆଯାଉଛି । କୋର୍ଟଙ୍କ ନିକଟରେ ସେନା ପକ୍ଷରୁ କୁହାଯାଇଥିଲା, ଝିଅମାନେ ଏନଡିଏ ପରୀକ୍ଷା ଦେଇପାରିବେ ନାହିଁ ।
ସୁପ୍ରିମକୋର୍ଟ ଝିଅମାନଙ୍କୁ ଏନଡିଏ ପରୀକ୍ଷାରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରଥମଥର ପାଇଁ ଝିଅମାନେ ଭାଗ ନେଇପାରିବେ । ଶୁଣାଣି ସମୟରେ ସେନା ପକ୍ଷରୁ କୁହାଯାଇଥିଲା କି, ମହିଳାମାନଙ୍କୁ ଏନଡିଏ ପରୀକ୍ଷାରେ ଅନ୍ତର୍ଭୁକ୍ତ ନକରିବା ଏକ ନୀତିଗତ ନିଷ୍ପତ୍ତି। ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ଏହି ନୀତି ଏକ ନିଷ୍ପତ୍ତି, ଏହା ଲିଙ୍ଗଗତ ଭେଦଭାବକୁ ପ୍ରୋତ୍ସାହିତ କରୁଛି।
ଏନଡିଏ ପରୀକ୍ଷାରେ ଝିଅଙ୍କୁ ସାମିଲ୍ କରିବାକୁ ଏକ ପିଟିସନ ସୁପ୍ରିମ କୋର୍ଟରେ ଦାୟର ହୋଇଥିଲା । ଆବେଦନକାରୀ କହିଥିଲେ ଝିଅଙ୍କୁ ଏନଡିଏ ପରୀକ୍ଷାରେ ସାମିଲ୍ ନକରିବା ଧାରା ୧୪, ୧୫,୧୬ ଏବଂ ୧୯କୁ ଉଲ୍ଲଂଘନ କରୁଛି। କୋର୍ଟରେ ଆବେଦନକାରୀଙ୍କ ପକ୍ଷରୁ ଓକିଲ ଚିନ୍ମୟ ପ୍ରଦୀପ ଶର୍ମାଙ୍କ ସହ ମୋହିତ ପଲ୍, ସୁନାନା ଏବଂ ଇରଫାନ୍ ହସିବ ଯୁକ୍ତି ଉପସ୍ଥାପନ କରିଥିଲେ ।
ଏନଡିଏ ଏବଂ ନାଭାଲ ଏକାଡେମୀ ପରୀକ୍ଷାରେ ସାମିଲ୍ ହେବାକୁ ଇଚ୍ଛା ରଖିଥିଲେ ଯୁକ୍ତ ଦୁଇ ସ୍ତର ପାସ୍ କରିଥିବା ଛାତ୍ରୀମାନେ ଲିଙ୍ଗଗତ ବାଛ ବିଚାରର ଶିକାର ହେଉଛନ୍ତି । ସମାନ ଯୋଗ୍ୟତା ଥାଇ ପୁରୁଷମାନେ ଏହି ପରୀକ୍ଷାରେ ସାମିଲ୍ ହୋଇପାରୁଛନ୍ତି। ଏହା ମହିଳାଙ୍କ ମୌଳିକ ଅଧିକାରର ଉଲ୍ଲଂଘନ କରୁଛି। ଯାହା ଭାରତୀୟ ସମ୍ୱିଧାନର ବିରୁଦ୍ଧାଚରଣ କରୁଛି।