(ଶୁଭସ୍ମିତା ଦାଶ) : ସ୍କୁଲରେ ଦିନକୁ ଦିନ ଡ଼୍ରପ ଆଉଟ ପିଲାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଉପସ୍ଥାନ ମଧ୍ୟ କମିବାରେ ଲାଗିଛି । ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ଏବଂ ମଧ୍ୟାହ୍ନ ଭୋଜନ ପରି ଯୋଜନା କରାଯାଇଥିଲେ ମଧ୍ୟ ପିଲାଙ୍କ ଉପସ୍ଥାନ ବଢିପାରୁ ନାହିଁ । ସ୍କୁଲ ଡ଼୍ରେଶ ଠାରୁ ଆରମ୍ଭ କରି ବହି ମଧ୍ୟ ଯୋଗାଇ ଦିଆଯାଉଛି । ତଥାପି ପ୍ରତିଟି ଶ୍ରେଣିରେ ହାତ ଗଣତି କେତୋଟି ପିଲାଙ୍କୁ ପାଠ ପଢୁ ଥିବାର ଦେଖିବାକୁ ମିଳୁଛି । ସରକାରୀ ସ୍କୁଲରେ ଉପଯୁକ୍ତ ଶିକ୍ଷକ ଓ ପ୍ରାଥମିକ ସ୍ତରରେ ପିଲାଙ୍କୁ ପାଠ ପଢାଇବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଅଭାବରୁ ପିଲାଙ୍କ ଉପସ୍ଥାନ କମ୍ ହେବାରେ ଲାଗିଛି । ଅଭିଭାବକ ମାନେ ମଧ୍ୟ ପିଲାଙ୍କୁ ନିୟମିତ ସ୍କୁଲ ଆସିବାକୁ ପ୍ରତ୍ସୋହିତ ନ କରିବା ଏହାର ଅନ୍ୟ ଏକ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେଶୁ କରି କିପରି ଉପସ୍ଥାନକୁ ବଢାଇ ଦିଆଯିବ ସେ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଦ୍ୟାଳୟ ପକ୍ଷରୁ ଉପସ୍ଥାନ ଅଭିଯାନ ‘ସବୁଦିନ ଯିବା ସ୍କୁଲ୍’ କାର୍ୟ୍ୟକ୍ରମକୁ ତ୍ୱରାନିତ କରିବା ପାଇଁ ଏପରି ଯୋଜନା କରାଯାଇଛି।
ସ୍କୁଲ୍ ଯିବାକୁ ପିଲାଙ୍କୁ ବୁଝାଇବେ କଳାକାର। ପିତାମାତାଙ୍କୁ ବି ସଚେତନ କରାଇବେ। ଗାଁ ଗାଁ ବୁଲି ଏଭଳି ସଚେତନତା ସୃଷ୍ଟି କରିବେ ପାରମ୍ପରିକ କଳାକାର। ୟୁନିସେଫ୍ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ଅଭିଲେଖାଗାରରେ ଆଜି ଏନେଇ ଲୋକକଳା କଳାକାରଙ୍କୁ ତାଲିମ୍ ଦେବା ଆରମ୍ଭ ହୋଇଛି। ପ୍ରାଥମିକସ୍ତରରେ ସ୍କୁଲ୍ ପିଲାଙ୍କ ମଧ୍ୟରେ ନିୟମିତ ଉପସ୍ଥାନ ହାର ବୃଦ୍ଧି କରିବା ଏବଂ ଛାତ୍ରଛାତ୍ରୀମାନେ କିଭଳି ସବୁଦିନ ସ୍କୁଲ୍ ଯିବା ପାଇଁ ଆଗ୍ରହ ପ୍ରକାଶ କରିବେ ସେନେଇ ବିଭିନ୍ନ କୌଶଳ ଆପଣେଇବାକୁ ବିଭିନ୍ନ ଲୋକକଳା ଦଳକୁ ତାଲିମ୍ ଦିଆଯାଇଛି। ଏହି ଅବସରରେ କଳାକାର ଓ ସେମାନଙ୍କ ଦଳ ମୁଖିଆଙ୍କ ସହ ଆଲୋଚନା ହୋଇଥିଲା। ପ୍ରଶିକ୍ଷକମାନେ ପାୱାର୍ପଏଣ୍ଟ୍ ଉପସ୍ଥାପନ କରି ବିଭିନ୍ନ କୌଶଳ ବତାଇଥିଲେ। ତେବେ ଦେଖିବାକୁ ବାକି ରହିଲା ଏହି ଯୋଜନା କେତେ କାର୍ଯ୍ୟକାରୀ ହେଉଛି । ପିଲା ଓ ଅଭିଭାବକ ଉଭୟ ଏହି ଯୋଜନା ଦ୍ୱାରା କେତେ ଆକୃଷ୍ଟ କରିବା ତାହା ଦେଖିବାକୁ ବାକି ରହିଲା ।