(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ: ଚୀନରେ ଆତଙ୍କ ଖେଳାଇଥିôବା ମହାମାରୀ କରୋନା ଯୋଗୁଁ ଏପର୍ୟ୍ୟନ୍ତ ପାଖାପାଖି ୩୦୦୦ ହଜାର ଲୋକ ମୃତ୍ୟୁବରଣ କରିସାରିଲେଣି। ଏହାର ପ୍ରଭାବ ବୈଦ୍ୟୁତିକ ଉପକରଣ ଶିଳ୍ପ ଉପରେ ପଡିଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ଏବେ ସୁନା ଦର ରେକର୍ଡ଼ ସ୍ତରରେ ପହଂଚିଛି । ଭାରତରେ ସୁନା ଦର ୧୦ ଗ୍ରାମ୍ ପିଛା ୪୩ ହଜାର ୫୯୩ ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଅନ୍ତର୍ଜାତୀୟ ମାର୍କେଟରେ ସୁନା ମୂଲ୍ୟର ୨.୫ ପ୍ରତିଶତ ବୃଦ୍ଧି ପାଇଛି।
ଗତ ୭ ବର୍ଷ ମଧ୍ୟରେ ସବୁଠୁ ଉଚ୍ଚରେ ପହଞ୍ଚିଛି ସୁନା ଦର। ଆଜି ଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୪୪ ହଜାର ୧୫୦ ଟଙ୍କା ରହିଛି। ଚୀନରେ କରୋନା ଭାଇରସ୍କୁ ନେଇ ସୁନା ମାର୍କେଟରେ ଏଭଳି ବୃଦ୍ଧି ହୋଇଥିବା କୁହାଯାଉଛି।
ରୁପା ଦର ମଧ୍ୟ ବଢ଼ିବାରେ ଲାଗିଛି। ରୁପା ଦର ୦.୫୮ ପ୍ରତିଶତ ବୃଦ୍ଧି ହୋଇ କିଲୋ ପିଛା ୪୮ ହଜାର ଟଙ୍କା ପାର ହୋଇଛି। ନିବେଶକଙ୍କ ଅନୁସାରେ ଆଗକୁ ସୁନା ଓ ରୁପା ଦର ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। କରୋନା ସଂକ୍ରମଣ ଯୋଗୁ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ରହିଥିବାବେଳେ ଆମଦାନୀ ରପ୍ତାନୀରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଫଳରେ ଦିନକୁ ଦିନ ସୁନା ଦାମ ବଢ଼ିଚାଲିଛି। ବର୍ଷ ଶେଷ ବେଳକୁ ସୁନା ଦାମ ୧୦ ଗ୍ରାମ ପିଛା ୫୦ ହଜାର ଟଙ୍କା ଟପିବାର ସମ୍ଭାବନା ଥିବା କୁହାଯାଉଛି।