ବଲାଙ୍ଗିର/ ରାଧାକ୍ରିଷ୍ଣ ମିଶ୍ର : ବଲାଙ୍ଗୀର ଜିଲ୍ଲାରେ ଶୁଭାରମ୍ଭ ହେଲା ଜୟ ଜଗନ୍ନାଥ ଏକ୍ସପ୍ରେସ ବସ ସେବା । ଆଜି ସନ୍ଧ୍ୟା ରେ ସ୍ଥାନୀୟ ନୂତନ ବସ ଟର୍ମିନାଲ ଠାରେ ଏହି ସେବା ଆରମ୍ଭ ହେଇଛି । ସବୁଜ ପତାକା ଦେଖାଇ ଏହି ସେବାର ଆରମ୍ଭ କରା ଯାଇଥିଲା । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା , ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ କଲିକେଶ ନାରାୟଣ ସିଂହଦେଓ, ବଲାଙ୍ଗୀର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ପୌରାଧକ୍ଷ୍ୟା ଲିକା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ପର୍ୟ୍ୟାୟରେ ଏହି ସେବା ଆରମ୍ଭ ହୋଇଥିବା ଜିଲ୍ଲା ଗୁଡିକ ହେଲା- ବଲାଙ୍ଗିର, ବରଗଡ, ଗଞ୍ଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ। ଏହି ବସଗୁଡ଼ିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍ରେ ଟିକେଟର ମୂଲ୍ୟ ମାତ୍ର ୫୦ ପ୍ରତିଶତ ରହିବ। ସେ କହିଥିଲେ ଯେ ଲକ୍ଷ୍ମୀ ବସ୍ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ ଦାମ୍ ମାତ୍ର ୫ ଟଙ୍କା ରହିଛି। ଏହା ମା’ମାନଙ୍କ ପାଇଁ ବହୁ ସୁବିଧା ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ୍ସେବା ଯୋଜନା ଅଧିନରେ ଏହି ବସ୍ ସେବା ଆରମ୍ଭ ହୋଇଛି।
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ସାଧାରଣ ଲୋକଙ୍କ ପ୍ରତିଶୃତି ପୂରଣ କରିବାରେ ମୁଖ୍ୟମନ୍ତ୍ରୀଙ୍କର ତୁଳନା ନାହିଁ। ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ଏକ ମାଇଲଷ୍ଟୋନ । ସେ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ସବୁ କାର୍ୟ୍ୟକ୍ରମ ମହିଳାମାନଙ୍କୁ ଅଧିକ ସଶକ୍ତ କରୁଛି। ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ୟ୍ୟକ୍ରମର ମଙ୍ଗ ଧରି ୫-ଟି ଅଧ୍ୟକ୍ଷ ସବୁ ଯୋଜନା ସଫଳ କରୁଛନ୍ତି ବୋଲି ସେ କହିଥିଲେ। କାର୍ୟ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ । ବିଧାୟକ ଶ୍ରୀ ଭୂପିନ୍ଦର ସିଂହ, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ।