ଭୁବନେଶ୍ୱର : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପରିସ୍ଥିତିକୁ ନେଇ ଲୋକ ମାନେ ବିଚଳିତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି , କେଉଁଠି କାହିଁକି, କେଉଁ ପରିସ୍ଥିତିରେ ଡ୍ରୋନ ଉଡୁଛି, ତା ଉପରେ ନଜର ରଖାଯାଇଛି । ସରକାର ସଚେତନ ମୂଳକ ପଦକ୍ଷେପ ନେଉଛନ୍ତି । ଲୋକ ବିଚଳିତ ହୁଅନ୍ତୁ ନାହିଁ । ଓଡ଼ିଶାରେ ସେଭଳି ପରିସ୍ଥିତି ନାହିଁ । ବଡ଼ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଏବଂ ତୁରନ୍ତ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ଅଧିକାରୀ ମାନଙ୍କର ମଧ୍ୟ ପରିସ୍ଥିତି ଦେଖି ଆଗାମୀ ସମୟରେ ବାତିଲ ହେବ ଛୁଟି । ଓଡ଼ିଶାରେ ଥିବା କେନ୍ଦ୍ର ସରକାରଙ୍କର ବିଭିନ୍ନ ପ୍ରତିଷ୍ଠାନର ସୁରକ୍ଷା ବୃଦ୍ଧି କରାଯାଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଭଳି ସ୍ଥାନର ସୁରକ୍ଷା ବଢ଼ାଯାଇଛି । ହୀରାକୁଦ ବନ୍ଧର ସୁରକ୍ଷା ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ବେଳେ ପ୍ରବେଶ ନିଷେଧ କରାଯାଇଛି । ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ମଧ୍ୟ ସୁରକ୍ଷା ଭିତରେ ଅଛି । ବଲାଙ୍ଗୀର, କୋରାପୁଟ ଆଦି ସ୍ଥାନରେ ଥିବା ଗୋଳାବାରୁଦ କାରଖାନାରେ ମଧ୍ୟ୍ୟ ସୁରକ୍ଷା ବଢ଼ା ଯାଇଛି । ଅତୀତରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଲୋକଙ୍କ ଗତିବିଧି ଉପରେ ଓଡ଼ିଶା ପୋଲିସ ରଖିଛି ତୀକ୍ଷ୍ଣ ନଜର । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଭାରତୀୟ ନୌସେନା ପଇଁତରା ମାରୁଛି । କିଛି ଅଞ୍ଚଳରେ ଡ୍ରୋନ ନ ଉଡ଼ାଇବା ପାଇଁ ନୋ ଫ୍ଲାଇଂ ଜୋନ ମଧ୍ୟ ଘୋଷଣା କରାଯାଇଛି ।