ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦର ଖିଅ ଦିନକୁ ଦିନ ଲମ୍ବିବାରେ ଲାଗିଛି । ପୁଣି ଏଥିରେ ଯୋଡି ହୋଇଛି ଆଉ ଏକ ଖିଅ । ଶ୍ରମନ୍ଦିର ଚାରିପାଖରେ ଗତ ଦୁଇ ଦିନ ଧରି ବିଳମ୍ବିତ ରାତିରେ ଜିପିଆର ସର୍ଭେ କରାଯାଉଛି । ଦୁଇ ଦିନ ଧରି ଏହା ଚାଲିଥିଲେ ବି ଗତ ଶନିବାର ରାତିରେ ଏହା ଜଣାପଡିଥିଲା । ଏହି କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ପଚରାଯିବା ପରେ ଏହି ରାତିଅଧିଆ ସର୍ଭେ ସମ୍ପର୍କରେ ଜଣାପଡିଥିଲା । ତେବେ ରାତିରେ ଏହି ଜିପିଆର ସର୍ଭେ କରିବା ପାଇଁ କୁହାଯାଇଛି ଏବଂ ଶୁକ୍ରବାର ରାତିରେ ଆରମ୍ଭ ହୋଇଥିବା ଏହି ସର୍ଭେ ଆହୁରି ଦୁଇ ଦିନ ଚାଲିବ ବୋଲି ସେମାନେ କହିଛନ୍ତି । ସେମାନଙ୍କ ସୂଚନାନୁସାରେ, ଓବିସିସିର ଚିଠି ଅନୁସାରେ ଗୁଜରାଟ ଗାନ୍ଧୀନଗର ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଛି ।
ଗାନ୍ଧୀନଗର ଆଇଆଇଟି ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ମାଧ୍ୟମରେ ଏହି ଜିପିଆର ସର୍ଭେ କରାଯାଉଛି । ଆଉ ଦୁଇ ଦିନ ସର୍ଭେ କରିବା ପରେ ୧୫ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଗତ ଶନିବାର ରାତି ୧୦ଟା ପରେ ଏହି କର୍ମଚାରୀ ମାନେ ଏମାର ମଠ, କାକୁଡ଼ିଆଖାଇ ମନ୍ଦିର, ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାରରୁ ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ଜିପିଆର ସର୍ଭେ କରାଯାଇଥିବା ଦେଖିବାକୁ ମିଳିଥିଲା ।
ତେବେ ଏହି ସମୟରେ ସେଠାରେ ଏଏସଆଇର କୌଣସି ଅଧିକାରୀ ଉପସ୍ଥିତ ନଥିବା ଜଣାପଡିଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ବା ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସର୍ଭେ ନେଇ କିଛି ସୂଚନା ଦିଆଯାଇନଥିବା ବେଳେ ବିଳମ୍ବିତ ରାତିରେ ଏହି କାର୍ଯ୍ୟ କରାଯାଉଥିବାରୁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଦିନରେ ଜିପିଆର ସର୍ଭେ ନକରାଯାଇ ରାତିରେ କାହିଁକି ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରିଲାଣି । ତେଣୁ ରାତିରେ ଏପରି କାର୍ଯ୍ୟ କରାଯାଇ ସରକାର କେଉଁ ରହସ୍ୟ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି ।