ବ୍ୟୁରୋ : ଆସିଲାଣି ନୂଆବର୍ଷ ଚାଲ ଶୀଘ୍ର କିଣିବା ଗ୍ରୀଟିଙ୍ଗ୍ସ କାର୍ଡ । ଭଳିକି ଭଳି ଫୁଲ, ହିରୋ- ହିରୋଇନ ଆଉ ଫୋଲ୍ଡିଂ କାର୍ଡ । ସେଥିରେ ଲେଖା ହେବ ଢଗଢମାଳି । ବେଷ୍ଟ ଫ୍ରେଣ୍ଡ୍ ପାଇଁ ଫୋଲ୍ଡିଂ କାର୍ଡ ଆଉ ଟିକେ ଟିକେ ସାଙ୍ଗ ହେଉଥିଲେ ୫୦ ପଇସାର ହିରୋ- ହିରୋଇନ ଗ୍ରୀଟିଙ୍ଗ୍ସ । ସତେ ଯେମିତି ସାଙ୍ଗ ମାନଙ୍କ ଭିତରେ ବି ପିଳାଳିଆ ମନଟି କାଟାଗୋରି କରିଥିଲା । ତା’ ପରେ ନିଜ ନିଜ ଭିତରେ କଥା ହୋଇ ଆରମ୍ଭ ହେବ ଢଗଢମାଳି ଲେଖିବା ।
“ସମୁଦ୍ର କୂଳରେ ବହୁତ ବାଲି ନୂଆ ବର୍ଷର ଶୁଭେଚ୍ଛା ଦେଲି”
“ଶୁଆ ବୁଲେ ବୁଲେ ବନେ ବନେ ଶାରୀ ବୁଲେ ବନରେ, ତୁମକୁ ମୁଁ ଖୋଜୁଥିଲି ନୂଆବର୍ଷ ଦିନରେ”
“ପାହାଡ ଉପରେ ଘର କରିଥିଲି ପବନ ଉଡାଇ ନେଲା, ଏମିତି ସାଙ୍ଗ କରିଥିଲି ଝୁରି ଝୁରି ଦିନ ଗଲା”
“ଗୋଲାପ ଗଛରେ ଭର୍ତ୍ତି କଣ୍ଟା , ତୁମେ ମନେପଡ ଘଣ୍ଟା କୁ ଘଣ୍ଟା”
ପୁଣି ସାଙ୍ଗ ନ ଜାଣିଲା ଭଳି ଲୁଚେଇକି ତା’ ବ୍ୟାଗ୍ ରେ ନହେଲେ ଖାତା, ବହି ମଝିରେ ରଖାଯିବ ଗ୍ରୀଟିଙ୍ଗ୍ସ । ଆଉ ଦୁଇ ଦିନ ପରେ ଗଣାହେବ କାର୍ଡ । କିଏ ପାଇଛି କେତେ ଗ୍ରୀଟିଙ୍ଗ୍ସ ? ସେହି ହିସାବରେ ଜଣାପଡିବ କାହାର ସାଙ୍ଗ ବେଶୀ । ସତରେ କେଡେ ଆନନ୍ଦର ମୂହୂର୍ତ୍ତ ଥିଲା ।
ସରିଗଲା ପିଲାଦିନ । ବ୍ୟସ୍ତବହୁଳ ଜୀବନ ଭିତରେ ସତେ ଯେମିତି ଆମ ଜୀବନର ଛୋଟ ଛୋଟ ଖୁସି କୁଆଡେ ହଜିଯାଇଛି । ନୂଆବର୍ଷ ପାଇଁ ସେ ଉତ୍ସୁକତା ନାହିଁ କି ମନରେ ସେ ଖୁସି କାହିଁକି କେଜାଣି ଅନୁଭବ କରି ହୁଏ ନାହିଁ । ପଛକୁ ଚାହିଁଲେ ଆଖି ଆଗରେ ନାଚି ଯାଏ ପିଲାଦିନ । ଏବେ ସାଙ୍ଗ ମେଳରେ ବସିବାକୁ ଫୁର୍ସତ୍ ନାହିଁ । କ୍ୟାରିୟର୍ ଗଢି ତୋଳିବାର ନିଶାରେ ସମସ୍ତେ ମାତିଛନ୍ତି । ହେଲେ ପ୍ରକୃତରେ ମନକୁ ଆନନ୍ଦିତ କରୁଥିବା ମୂହୂର୍ତ୍ତ ସେହି ପିଲା ଦିନରେ ରହିଯାଇଛି ।
ଡିସେମ୍ବର ମାସ ଅଧା ହେଉ ହେଉ ଗ୍ରୀଟିଙ୍ଗ୍ସ କିଣିବା ଆରମ୍ଭ ହେଉଥିଲା । ଏଇ ସବୁ କାମ ଥିଲା କେବଳ ସାଙ୍ଗକୁ ‘ହାପି ନିୟୁ ଇୟର୍’ କହିବା ପାଇଁ । ବର୍ତ୍ତମାନ ସମୟରେ ମାତ୍ର କିଛି ସେକେଣ୍ଡରେ ସାଙ୍ଗ ପାଖକୁ ପହଞ୍ଚଯାଉଛି ନିୟୁ ଇୟର୍ ମେସେଜ୍ । କିନ୍ତୁ ସେଥିରେ ଆଉ ସେ ଉତ୍ସାହ ନାହଁ । ମୋବାଇଲ୍ ମେସେଜ୍ ଗ୍ରୀଟିଙ୍ଗ୍ସକୁ ବହୁତ ପଛରେ ପକାଇଦେଇଛି । ଠିକ୍ ଯେମିତି ଆମେ ପିଲା ଦିନକୁ ଛାଡି ଆସିଛେ । ସେହି ଦିନ ସବୁ ସେ ଗ୍ରୀଟିଙ୍ଗ୍ସ କାର୍ଡ ଭଳି ହଜିଗଲା । କେବଳ ସ୍ମୃତିର ଫୋଲ୍ଡର ରେ ସୁବର୍ଣ୍ଣ ମୂହୂର୍ତ୍ତ ମନରେ ରହିଗଲା ।