ବୈପାରିଗୁଡା : ଦକ୍ଷିଣ ଓଡ଼ିଶା କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ଶୈବପୀଠରୁ ହୁଣ୍ଡି ଦାନବାକ୍ସ ଭାଙ୍ଗି ଚୋରି ହୋଇଯାଇଥିବା ନେଇ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି l ଘଟଣା ଅନୁଯାୟୀ, ଗତକାଲି ରାତିରେ କେହି ଦୁର୍ବୃତ୍ତ ମନ୍ଦିରର ପରିସରର ମୁଖ୍ୟ ଫାଟକ ନିକଟର ଥିବା ଦାନ ହୁଣ୍ଡି ଦାନବାକ୍ସ ତାଲା ଭାଙ୍ଗି ନଗଦ ଟଙ୍କା ଲୁଟି ନେଇଛନ୍ତି l ଗୁରୁବାର ରାତିରେ ଆଳତି କରି ସାରିବା ପରେ ନିଜ ବାସ ସ୍ଥାନକୁ ଚାଲିଯାଇଥିଲେ ମୁଖ୍ୟ ପୂଜକ l କିନ୍ତୁ ପ୍ରତିଦିନ ଭଳି ଆଜି ସକାଳେ ମନ୍ଦିରର ମୁଖ୍ୟ ଫାଟକ ନିକଟରେ ଟିକଟ କାଉଣ୍ଟରରେ ବସୁଥିବା ଯୁବକ କାଉଣ୍ଟର ଖୋଲିବା ସମୟରେ ଦାନ ହୁଣ୍ଡିର ତାଲା ଭଙ୍ଗା ହୋଇଥିବା ଦେଖି ପୂଜକଙ୍କୁ ଖବର ଦେଇଥିଲେ l ପୂଜକ ସଙ୍ଗେ ସଙ୍ଗେ ଦେବୋତ୍ତର ବିଭାଗ ଏବଂ ରାମଗିରି ଫାଣ୍ଡି ଅଧିକାରୀ ସୂଚନା ଦେଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛନ୍ତି। ଏହା ପୂର୍ବରୁ ବୋଲବମ୍ କାଉଡ଼ିଆଙ୍କ ମୋବାଇଲ ଏବଂ ଟଙ୍କା ଚୋରି ହେଇଥିବା ଥାନାରେ ଏତଲା ଦିଆଯାଇଥିଲା। ଗୁପ୍ତେଶ୍ୱର ପୀଠରେ ଏହିପରି ଘଟଣା ବାରମ୍ବାର ଘଟୁଥିବାରୁ ମୁଖ୍ୟ ପୂଜକ ତଥା ଶ୍ରଦ୍ଧାଳୁ ଏବଂ ଜନସାଧାରଣ ଘୋଟଣାକୁ ନିନ୍ଦା କରିଛନ୍ତି l