ଲେସ୍ କେୟସ: ହାଇତିରେ ହୋଇଥିବା ଭୀଷଣ ଭୂକମ୍ପ ମୃତ୍ୟୁ ସଂଖ୍ୟା ୨ ହଜାର ପାର କରିଛି । ଏବେ ମଧ୍ୟ ବହୁ ଜୀବତ ଓ ମୃତକ ମାଟିତଳେ ଦବି ରହିଛନ୍ତି । କିନ୍ତୁ ଭୂକମ୍ପ ପରେ ଲାଗିରହିଥିବା ଝଡ଼, ବର୍ଷା ଓ ବନ୍ୟା ପାଇଁ ଉଦ୍ଧାର କାର୍ଯ୍ୟ ବ୍ୟାହତ ହୋଇଛି । ଅନ୍ୟ ପକ୍ଷରେ ଲୋକଙ୍କ ଥଇଥାନ, ଖାଦ୍ୟ, ପାନୀୟଜଳ, ଚିକିତ୍ସା ଯୋଗାଣ ବାଧାପ୍ରାପ୍ତ ହୋଇଛି । ହାଇତିର ବହୁ ହସ୍ପିଟାଲ କ୍ଷତିଗ୍ରସ୍ତ ହେବା ସହ ବହୁ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ତେଣୁ ଅସ୍ଥାୟୀ ତମ୍ବୁ ତଳେ ଆହତଙ୍କ ଚିକିତ୍ସା ହେଉଥିବା ବେଳେ ଡାକ୍ତର ଅଭାବ ଚିକିତ୍ସା ଯୋଗାଇଦେବାରେ ମୁଖ୍ୟ ସମସ୍ୟା ହୋଇ ସରକାର ଆଗରେ ଠିଆ ହୋଇଛି ।
ଶନିବାର ହାଇତିରେ ହୋଇଥିବା ଭୂକମ୍ପର ତୀବ୍ରତା ୭.୨ ଥିବା ବେଳେ ଏଥିରେ ୯ହଜାରରୁ ଅଧିକ ଲେ।କ ଆହତ ହୋଇଛନ୍ତି । ଅନେକ ନିଖୋଜ ରହିଛନ୍ତି । ଦେଶରେ ରାଜନୈତିକ ଅସ୍ଥିରତା ପ୍ରଭାବିତ କ୍ଷେତ୍ରକୁ ରିଲିଫ ଓ ଅନ୍ୟ ସହାୟତା ଯୋଗାଇ ଦେବାରେ ବାଧକ ପାଲଟିଛି। ଏଥିରେ ଜାମାଇକା ଉପକୂଳରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଗ୍ରେସ୍’ ପ୍ରଭାବରେ ମଙ୍ଗଳବାରଠାରୁ ଝଡ, ବର୍ଷା ସାଙ୍ଗକୁ ଭୂ-ସ୍ଖଳନ ହେବଉଛି।ଅନ୍ୟପକ୍ଷରେ ଗତ ଜୁଲାଇ ୭ରେ ହାଇତି ରାଷ୍ଟ୍ରପତି ଜୋଭେଲ ମୋଇସ୍ଙ୍କୁ ଆତତାୟୀ ଗୁଳିକରି ହତ୍ୟା କରିଥିଲେ। ଦେଶ ରାଜନୈତିକ ଅସ୍ଥିରତା ମଧ୍ୟରେ ପ୍ରକୃତିର ତାଣ୍ଡବ ଆଉ ଏକ ବଡ ସମସ୍ୟା ରୂପେ ଉଭା ହୋଇଛି ।